ରୋଷେଇ ଘର ନିମିତ୍ତ ବାସ୍ତୁ ଅନୁଯାୟୀ କିଛି ନିୟମ…
ରୋଷେଇ ଘରକୁ ଘରର ଆତ୍ମା ବୋଲି କୁହାଯାଇଥାଏ। ଏହା ଗୃହର ଏକ ମହତ୍ତ୍ୱ ପୂର୍ଣ୍ଣ ସ୍ଥାନ ଅଟେ। ଘରର ସମସ୍ତ ସଦସ୍ୟ ଏହି ଗୃହ ହେତୁ ଖାଦ୍ୟ ଆହରଣ କରି ପାରନ୍ତି ଓ ସ୍ୱାସ୍ଥ୍ୟକୁ ସଠିକ ରଖିପାରନ୍ତି। ମାତ୍ର ଏହି ରୋଷେଇ ଘର ନିମିତ୍ତ ବାସ୍ତୁ ଅନୁଯାୟୀ କିଛି ନିୟମ ରହିଛି। ଯାହାକୁ ମାନିଲେ ଆମର ଉନ୍ନତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେପରି ରୋଷେଇ ଘରର ଗୃହର ଦକ୍ଷିଣ -ପୂର୍ବ କୋଣରେ ରହିବା ଉଚିତ । କାରଣ ଏହି ଦିଗ ଅଗ୍ନି ଦେବତାଙ୍କର ଅଟେ। ଏହି ଦିଗରେ ରୋଷେଇ ଘର ରହିବା ଦ୍ୱାରା ଘରର ସୁଖ ଶାନ୍ତି ସର୍ବଦା ରହିବା ସହ ସଦସ୍ୟ ମାନଙ୍କ ଆଚରଣ ମଧ୍ୟ ଭଲ ରହିଥାଏ।
ରୋଷେଇ ଘରେ ଚୁଲ୍ଲାକୁ ଦକ୍ଷିଣ -ପୂର୍ବ ଦିଗରେ ରହିବା ଉଚିତ। ପାଣି ପାଇପକୁ ଉତ୍ତର -ପୂର୍ବ କୋଣରେ ରଖିବା ଉଚିତ। ପୂର୍ବ ଦିଗରେ ଏହାର ଝରକା ରହିବା ଉଚିତ। ଗ୍ୟାସ ଚୁଲ୍ଲା ବ୍ୟତୀତ ଘରେ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ମଧ୍ୟ ରହିଥାଏ। ଯେପରି ଇଣ୍ଡକସନ, ମାଇକ୍ରୋୱେଭ ଆଦି ଉପକରଣ ଦକ୍ଷିଣ – ପଶ୍ଚିମ କୋଣରେ ରହିବା ଆବଶ୍ୟକ। ରୋଷେଇ ଘରର ଭାଙ୍ଗି ଯାଇଥିବା ଅଥବା ଏହାର ରଙ୍ଗ ଖରାପ ହୋଇଗଲେ ବାସ୍ତୁ ଦୋଷ ଲାଗିଥାଏ। ରୋଷେଇ ଘରେ ଧୂଆଁ ହୋଇ ଏହାର କାନ୍ଥ କଳା ହେବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଲାଗିଥାଏ। ତେଣୁ ଝରକାର ସ୍ଥିତି ରୋଷେଇ ଘରେ ନିଶ୍ଚିତ ରହିବା ଉଚିତ। ରୋଷେଇ ଘରକୁ ଅପରିଷ୍କାର ରଖନ୍ତୁ ନାହିଁ। ଏଠାକୁ ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ। ଯେତେବେଳେ ରୁଟି ପ୍ରସ୍ତୁତ ହେଉଛି , ପ୍ରଥମ ରୁଟି ଗାଈ ପାଇଁ ତିଆରି କରି ରଖନ୍ତୁ। ରୁଟି ରଖିବା ପାତ୍ରକୁ ଖାଲି ରଖନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ପ୍ରବେଶ କରିବା ବେଳେ ଯଦି ରୋଷେଇ ଘର ରହିଛି , ତେବେ ଏକ ପରଦା ଟାଣି ରଖନ୍ତୁ। କାରଣ ପ୍ରବେଶ କରିବା ବେଳକୁ ଚୁଲ୍ଲା ଦୃଶ୍ୟମାନ ହେବା ଉଚିତ ନୁହେଁ।