ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ପ୍ରସଙ୍ଗ, ଆଜି ବସିବ ଫୁଲ କୋର୍ଟ
କଟକ : ହାଇକୋର୍ଟରୁ ଆରମ୍ଭ ହୋଇଥିବା ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) ପ୍ରସଙ୍ଗକୁ ନେଇ ଆଇନଜୀବୀ ମାନେ ଅସନ୍ତୁଷ୍ଟ ଅଛନ୍ତି । ଲାଇଭ ଷ୍ଟ୍ରିମିଙ୍ଗ ଭଳି ବ୍ୟବସ୍ଥା ଲାଗୁ ନହେଉ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ଦାବି କରି ଆସୁଛି । ଓକିଲ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି । କିନ୍ତୁ ଏସବୁ ଭିତରେ ଗତ ୨ ତାରିଖରେ ମୁଖ୍ୟ ବିଚାରପତିଙ୍କ ଅଦାଲତରେ ମାମଲା ଶୁଣାଣିର ସିଧା ପ୍ରସାରଣ ସେବା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଶୁକ୍ରବାର ବସିବ ଫୁଲ କୋର୍ଟ । ଏଥିରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରତିନିଧି ମଣ୍ଡଳି ଉପସ୍ଥିତ ରହିବେ । ମାମଲା ଶୁଣାଣୀର ସିଧା ପ୍ରସାରଣ ଭଳି ପ୍ରସଙ୍ଗକୁ ନେଇ ଆଜି କିଛି ଗୋଟେ ସହମତି ପ୍ରକାଶ ପାଇବାର ସମ୍ଭାବନା ଅଛି । ହାଇକୋର୍ଟ ପ୍ରୋଶିଡିଂ, ମାମଲା ଗୁଡ଼ିକର ଶୁଣାଣି ଇତ୍ୟାଦିର ସିଧା ପ୍ରସାରଣ ସେବା ଆରମ୍ଭ ହୋଇଛି ।
ସୂଚନା ଯେ, ଗତ ବୁଧବାର ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକ ହୋଇଥିଲା , ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ପ୍ରତ୍ୟାହାର ନହେଲା ଯାଏଁ ଆଇନଜୀବୀ ମାନେ ଚିଫ୍ କୋର୍ଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି । ତେବେ ଏ ସଂକ୍ରାନ୍ତରେ ହାଇକୋର୍ଟର ଫୁଲ ବେଞ୍ଚ ବା ଫୁଲ କୋର୍ଟ ବସିବାର ଅଛି । ଏବଂ ଏଥିରେ ହାଇକୋର୍ଟ ବାର ପକ୍ଷରୁ ପ୍ରତିନିଧି ମଣ୍ଡଳ ଉପସ୍ଥିତ ରହିବାର ମଧ୍ୟ ନିଷ୍ପତି ହୋଇଛି । କେବଳ ଅପେକ୍ଷା ଆଜି ଏହି ପ୍ରସଙ୍ଗରେ କିଛି ନିର୍ଯ୍ୟାସ ବାହାରୁଛି ନା ନାହିଁ ।