ପୁଣି ପଲସର ଆତଙ୍କ, ଭୁଜାଲି ଦେଖାଇ ଲୁଟି ନେଲେ ୪୭ ହଜାର ଟଙ୍କା
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସୋଲପଟା-ବାହାବଳପୁର ରାସ୍ତାର ଶିଳଦା ଛକ ନିକଟରେ ଜଣେ ପିକ ଅପ୍ ଡ୍ରାଇଭରକୁ ଭୁଜାଲି ଦେଖାଇ ୪୭ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବସ୍ତା ଥାନା ପୋଲିସ ଶୁକ୍ରବାର ଘଟଣାର ତଦନ୍ତ ଜାରି ରଖିଛି । ରାଜପଥ ସମେତ ଏହି ରାସ୍ତାରେ ବିଭିନ୍ନ ସମୟରେ ପଲସର ଆତଙ୍କ ଯୋଗୁଁ ଜନସାଧାରଣ ଯାତାୟତରେ ନିରାପଦ ମଣୁନଥିବାରୁ କଡ଼ା ପେଟ୍ରୋଲିଙ୍ଗ ବ୍ୟବସ୍ଥା ଦାବି ହୋଇଛି ।
ପ୍ରକାଶ ଯେ, ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଅଞ୍ଚଳର ମନୋରଞ୍ଜନ କାମିଳା ଗୁରୁବାର ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନ୍ (ନଂ.ଓଡ଼ି ୦୧ଏଏସ୍ ୮୯୪୫)ରେ ବାଲିଆପାଳରୁ କୁକୁଡ଼ା ବୋଝେଇ କରି ସୋଲପଟା ରାସ୍ତା ଦେଇ ବାହାବଳପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ପଛରୁ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ପଲସର୍ ବାଇକରେ ଆସି ଶିଳଦା ଛକ ନିକଟରେ ମନୋରଞ୍ଜନଙ୍କ ଭ୍ୟାନ୍କୁ ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଭ୍ୟାନ୍ରୁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୟରେ ଡ୍ରାଇଭର ମନୋରଞ୍ଜନ ଭ୍ୟାନରୁ ବାହାରିବା ସମୟରେ ଦୁର୍ବୃତ୍ତମାନେ ବେକରେ ଭୁଜାଲି ରଖି ୪୭ହଜାର ୩୦୦ଟଙ୍କା ଛଡ଼ାଇ ନେଇଥିଲେ । ଡ୍ରାଇଭର ଜଣକୁ ପିଟାମରା କରି ଘଟଣାସ୍ଥଳରୁ ସେମାନେ ଫେରାର୍ ହୋଇଯାଇଥିଲେ । ଶୁକ୍ରବାର ବସ୍ତା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରାଯିବା ପରେ ବସ୍ତା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।