ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି, ଶପଥ ପାଠ କରାଇଲେ ରାଜ୍ୟପାଳ
କଟକ : ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି। ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ରଘୁବର ଦାସ ନୂତନ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତ ଅକ୍ଟୋବର ୩ ତାରିଖରେ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା। ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ ।
ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ଜଷ୍ଟିସ ସିଂହ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ।
ଜଷ୍ଟିସ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଗ୍ରହଣ କରି ଗତ ୨ ତାରିଖରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୨୦୨୫ ମସିହା ଜାନୁଆରୀ ୧୯ ତାରିଖରେ ଅବସର ନେବେ ଜଷ୍ଟିସ ସିଂହ । ଜଷ୍ଟିସ ଶୁଭାଶିଷ ତଲାପତ୍ରଙ୍କ ଅବସର ପରେ ହାଇକୋର୍ଟର ନିୟମିତ ମୁଖ୍ୟ ବିଚାରପତି ପଦ ଖାଲି ପଡିଥିଲା । ଜଷ୍ଟିସ ତଲାପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା ।
୧୯୬୩ ଜାନୁୟାରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୧୨ ଏପ୍ରିଲ ୫ ତାରିଖରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୧୯୬୩ ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଲ’ ସେଣ୍ଟରରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୦ ଅକ୍ଟୋବର ୩୦ରେ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ କରିଥିଲେ ଚକ୍ରଧାରୀ ଶରଣ ସିଂ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଟନା ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ନିଯୁକ୍ତି ମିଳିଥିଲା। ସେ ମେଡିଏଟର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ । ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ଚକ୍ରଧାରୀ ଶରଣ ସିଂଙ୍କୁ ମିଳିଥିଲା ନିଯୁକ୍ତି । ୨୦୧୦ ସେପ୍ଟେମ୍ବର ୧୮ରୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ସେହିବର୍ଷ ଡିସେମ୍ବରରେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବୀରେ କାର୍ଯ୍ୟରତ ବେଳେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଚକ୍ରଧାରୀ ଶରଣ ସିଂ । ୨୦୨୩ ଫେବ୍ରୁଆରୀ ୬ରୁ ମାର୍ଚ୍ଚ ୨୮ ତାରିଖ ଯାଏ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇଥିଲେ ।