ଚିପିଲିମା ସହ ଅନ୍ୟ କ୍ଷେତ୍ର ପରିଦର୍ଶନ କଲେ ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ
ସମ୍ବଲପୁର: ଆଜି ଦ୍ବିତୀୟ ଦିନରେ ହୀରାକୁଦରୁ ବାହାରି ଚିପିଲିମା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲ। ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ଓ ଡ୍ୟାମ ନିର୍ବାଣ କରିବା ଦ୍ଵାରା ଓଡ଼ିଶା ପଟ ନଦୀ ଓ କେନାଲ ଶୁଖି ଗଲାଣି। ଟ୍ରିବ୍ୟୁନାଲ ସଦସ୍ୟଙ୍କ ଗସ୍ତ ସମୟରେ ଓଡ଼ିଶାର ଅଧିକାରୀମାନେ ତଥ୍ୟ ଭିତ୍ତିକ ପ୍ରମାଣ ଉପସ୍ଥାପନ କରିଛନ୍ତି।
ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ ଓଡ଼ିଶା ଗସ୍ତର ତୃତୀୟ ଦିନ। ଆଜି ହୀରାକୁଦରୁ ବାହାରି ଚିପିଲିମା ଯାଇଥିଲେ ଟ୍ରିବ୍ୟୁନାଲ ସଦସ୍ୟ। ସେଠାରେ ଜଳ ବିଦ୍ୟୁତ ଉତ୍ପାଦନ ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି | ଜଳ ବିଦ୍ୟୁତ ଉତ୍ପାଦନ କମିଯାଇଛି। ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରିବା ଫଳରେ ଜଳ ପ୍ରବାହ କମିଛି। ତା ସହିତ ବିଦ୍ୟୁତ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ଯାହା ଦେଖିଛନ୍ତି ଟ୍ରିବ୍ୟୁନାଲ ସଦସ୍ୟ | ପରେ ହୀରାକୁଦ କମାଣ୍ଡ ଅଂଚଳ, ବରଗଡ ମୁଖ୍ୟ କେନାଲ, ଅତାବିରା ଶାଖା କେନାଲ ସମେତ କମାଣ୍ଡ ଅଂଚଳ ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ | ପରେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ ଓ୍ବେ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ, ଶାସନ କେନାଲ ପରିଦର୍ଶନ କରିଛନ୍ତି।
ଟ୍ରିବ୍ୟୁନାଲ ସଦସ୍ୟ ବରଗଡ ଜିଲ୍ଲା ଅତାବିରା ପହଞ୍ଚି ବରଗଡ ମୁଖ୍ୟ କେନାଲ ପରିଦର୍ଶନ କରିଛି l ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କରିଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଟ ଏହି ଟ୍ରିବ୍ୟୁନାଲ ଟିମ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟାଙ୍ଗରପାଲି କେନାଲ ଓ ହୀରାକୁଦ ଡ୍ୟାମ ତଳି ଅଞ୍ଚଳ ବୁଲି ଦେଖିଛନ୍ତି। ତେବେ ଟ୍ରିବ୍ୟୁନାଲ ଗସ୍ତ ପରେ ନ୍ୟାୟ ପାଇବା ନେଇ ଆଶାବାଦୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି |
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏଏମ୍ ଖାନୱିଲିକରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚର ଅଛନ୍ତି। ଏହା ସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍ର ସଦସ୍ୟ ରହିଛନ୍ତି। ମେ ୨୮ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ତାଙ୍କ ଗସ୍ତ ଜାରି ରଖିବେ।