ସହର ମୁରବିମାନଙ୍କ ସହ ତାଳଦଣ୍ଡା ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କଲେ ମେୟର ଓ କମିଶନର
ହେବ ଯୋଜନା ପ୍ରଦୂଷଣ ନ କରିବାକୁ ଜନତାଙ୍କୁ ନିବେଦନ
କଟକ : କଟକ ସହରର ବିକାଶ ପାଇଁ ଖୁବ୍ ଦ୍ରୁତ ଗତିରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ତାଳଦଣ୍ଡା କେନାଲର ରୂପାନ୍ତରଣ ଉପରେ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିମଧ୍ୟରେ ତାଳଦଣ୍ଡା କଟକ ସହର ପାଇଁ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ଏହାର ଉନ୍ନତିକରଣକୁ ନେଇ ପ୍ରଶାସନିକ ଅଧିକାରୀ, ସହରର ନାଗରିକ ଓ ବିଭିନ୍ନ ପୂଜା କମିଟି ଏବଂ ସାହି କମିଟିର ସଦସ୍ୟମାନେ ମଧ୍ୟ ଯତ୍ନଶୀଳ ଥିବା ଜଣାପଡିଛି । ଆଜି ଏହି ପରିପ୍ରେକ୍ଷୀରେ ସିଏମସି ମେୟର ସୁବାସ ସିଂହ, କମିଶନର ନିଖିଲ ପୱନ କଲ୍ୟାଣ ଓ ବିଧାୟକ ସୈାଭିକ ବିଶ୍ୱାଳ, ଡେପୁଟି ମେୟର ଦମୟନ୍ତୀ ମାଝି ପ୍ରମୁଖ ତାଳଦଣ୍ଡାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଛତ୍ରବଜାରରେ ଗଢିଉଠିଥିବା ଅର୍ବାନ ହାଟ ଯେପରି ସୁରୁଖୁରୁରେ ଚାଲିବ ସେ ସଂକ୍ରାନ୍ତରେ ଆଲୋଚନା କରିିଥିଲେ । ବିଶେଷକରି ତାଳଦଣ୍ଡାକୁ ପ୍ରଦୂଷଣ ନ କରିବା ପାଇଁ ସାଧାରଣ ଲୋକ ସଚେତନ ହୁଅନ୍ତୁ ବୋଲି କମିଶନର ଗୁରୁତ୍ୱାରୋପ କରିଥିଲେ । ଛତ୍ରବଜାର ପୂଜା କମିଟିର ମୁରବି ତଥା ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ରମାନାଥ ସ୍ୱାଇଁ, ମାଲଗୋଦାମ ପୂଜା କମଟିର ସଭାପତି ପ୍ରଫୁଲ୍ଲ ଛାଟୋଇ, ସଂପାଦକ ପ୍ରଶାନ୍ତ ପାତ୍ର ପ୍ରମୁୁଖ ମେୟର ଓ କମିଶନରଙ୍କ ସହ ଏହି ପରିଦର୍ଶନରେ ସାମିଲ ହୋଇଥିଲେ । ନିର୍ମାଣ କାର୍ଯ୍ୟ ତଦାରଖ ବେଳେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ସହ ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟମାନେ ରୂପାନ୍ତରଣ କାର୍ଯ୍ୟକୁ ଅଧିକ ଲୋକାଭୀମୁଖୀ କରିବା ପାଇଁ କେତେକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ପ୍ରଥମେ ସେମାନେ ରାଣୀହାଟ ତାଳଦଣ୍ଡା କେନାଲ ଉଭୟ ପାଶ୍ୱର୍ ରାସ୍ତା ସୈାନ୍ଦର୍ଯ୍ୟକରଣ କିପରି କରାଯିବ ସେ ସଂପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି ଏକାଧିକ ପାର୍କିଂ ସ୍ଥଳ ନିର୍ମାଣ କରିବା ସହ ଯୋବ୍ରା ନିକଟରେ ଏକ ମାଛ ମାର୍କେଟ, ରାଣୀହାଟ ନିକଟରେ ଏକ ଶୈାଚାଳୟ, ମାତୃଭବନ ପାଶ୍ୱର୍ ଜାତୀୟ ରାଜପଥ ନିକଟରେ ଭେଣ୍ଡିଂ ଜୋନ୍ ଆଦି କାର୍ଯ୍ୟକ୍ଷମ କରିବା ପାଇଁ ଏକପ୍ରକାର ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ତାଳଦଣ୍ଡାର ଇତିହାସକୁ ଲିପିବଦ୍ଧ କରି ରଖିବା ପାଇଁ ଯୋବ୍ରା ନିକଟରେ ଏକ ମିନି ସଂଗ୍ରହାଳୟ ସ୍ଥାପନ ନେଇ ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ତା ଛଡା ଏକ ଡ୍ରୋନ ସର୍ଭେ କାର୍ଯ୍ୟ ଶେଷ କରାଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଇତିମଧ୍ୟରେ ସିଲଭର ସିଟି ବୋଟିଂ କ୍ଲବ, ଆମ୍ୟୁଜମେଣ୍ଟ ପାର୍କ, ଫୁଡ କୋର୍ଟ ଆଦିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା ବେଳେ କେନାଲ ଭିତରପଟକୁ ଏକ ର୍ୟାମ୍ପ ଖୁବ ଶୀଘ୍ର ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ରାଣୀହାଟ ନିକଟରେ ୱାଚ ଟାୱାର କାର୍ଯ୍ୟ ଶେଷ ହୋଇଥିଲା ବେଳେ ବିଭିନ୍ନ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ଚାଲିଛି ବୋଲି କମିଶନର ଶ୍ରୀ କଲ୍ୟାଣ ସୂଚନା ଦେଇଛନ୍ତି । ଏହି ପରିଦର୍ଶନ ସମୟରେ କର୍ପୋରେଟର ପ୍ରଳୟା ବେଉରା, ସୁଭାଶିଷ ପଟ୍ଟନାୟକ, ପଦ୍ମିନୀ ସାହୁ, ଏ ଶ୍ରୀଦେବୀ, ସିଏମସି ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀ ପ୍ରମୁୁଖ ଉପସ୍ଥିତ ଥିଲେ ।