ମନୋରଞ୍ଜନ ମହାପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ସ୍ତ୍ରୀ ସମେତ ୩ ଗିରଫ
ମୃତ ମନୋରଞ୍ଜନଙ୍କ ପତ୍ନୀ ମିଲି ହିଁ ମୁଖ୍ୟ ଅଭିଯୁକ୍ତ- ଏସପି
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମନୋରଞ୍ଜନ ମହାପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତକଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ସହଯୋଗୀ ତଥା ଭାଇ ଓ ବନ୍ଧୁଙ୍କୁ ଗିରଫ କରିଛି । ଏ ନେଇ ସୋମବାର ନାଚୁଣୀ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ମୁତାବକ, ମୃତକ ମନୋରଞ୍ଜନ ମହାପାତ୍ର (୩୫) ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ମିଲି ଦାସ (୨୫)ଙ୍କୁ ବିବାହ କରିଥିଲେ । ତେବେ ନିଜ ଗ୍ରାମ ରଣପୁରରେ ସ୍ଥାନୀୟ ଅଂଚଳବାସୀଙ୍କ ସହ ମନୋରଞ୍ଜନଙ୍କର ସମ୍ପର୍କ ଭଲ ନଥିଲା । ତେଣୁ ସେ ତାଙ୍କ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଂଚଳରେ ରହୁଥିଲେ । ମନୋରଞ୍ଜନ ଜଣେ ଆନ୍ତଃ ଜିଲ୍ଲା ଡ଼କାୟତ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ନୟାଗଡ଼ ଜିଲ୍ଲାର ଦୁଇଟି ଡ଼କାୟତ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଥିଲା । ତେବେ ସେ ସର୍ବଦା ମଦ୍ୟପାନ କରି ନିଜ ପତ୍ନୀ ମିଲିଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ୨୦ ତାରିଖ ଦିନ ମନୋରଞ୍ଜନ ପ୍ରଚୁର ମଦ୍ୟପାନ କରି ପତ୍ନୀ ମିଲିଙ୍କୁ ଅମାନୁଷିକ ଭାବେ ପିଟି ଥିଲେ । ଫଳରେ ମନୋରଞ୍ଜନଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ମିଲି ନିଜ ସ୍ୱାମୀଙ୍କଠୁ ମୁକ୍ତି ପାଇବା ପାଇଁ ତାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟେଇବା ତଥା ହତ୍ୟା କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲେ । ଏଥିପାଇଁ ସେ ଟାଙ୍ଗୀ ଥାନା ଅଂଚଳର ତାଙ୍କର ଜଣେ ସାଙ୍ଗ ବିକ୍ରମ କୁମାର ସାହୁ (୨୯) ଏବଂ ଚାନ୍ଦପୁର ଥାନା ଅଂଚଳର ସମ୍ପର୍କୀୟ ଭାଇ ମିଟୁ ଦାସ (୨୬)ଙ୍କୁ ଯୋଗାଯୋଗ କରିଥିଲେ । ପରେ ୨୧ ତାରିଖ ସଂନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ସୁଟକେସ କିଣି ମନୋରଞ୍ଜନଙ୍କ ଚଣ୍ଡେଶ୍ୱରସ୍ଥିତ ଘରକୁ ଯାଇଥିଲେ । ରାତିରେ ସମସ୍ତ ୩ ଅଭିଯୁକ୍ତ ମାନେ ମନୋରଞ୍ଜନକୁ ପ୍ରଚୁର ମଦ୍ୟପାନ କରାଇ ନିଶାସକ୍ତ ଅବସ୍ଥାକୁ ଆଣିଥିଲେ । ଏପରିକି ସମସ୍ତେ ମିଳିତ ଭାବେ ମନୋରଞ୍ଜନଙ୍କ ତଂଟିକୁ ଚିପି ମାରିଦେଇଥିଲେ । ପରେ ମନୋରଞ୍ଜନଙ୍କ ମୃତ ଶରୀରକୁ ରାତିରେ ସୁଟକେସରେ ଭର୍ତି କରି ନିକଟସ୍ଥ ନାଚୁଣୀ ହରିପୁର ଜଙ୍ଗଲରେ ଫୋପାଡ଼ି ଦେଇଥିଲେ । ତେବେ ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୃତ ମନୋରଞ୍ଜନଙ୍କ ପତ୍ନୀ ମିଲି ମୁଖ୍ୟ ଅଭିଯୁକ୍ତ ବୋଲି ଏସପି କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ନାଚୁଣୀ ପୋଲିସ କେସ ନମ୍ବର ୧୧/୨୩ ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରହିଥିବା ନେଇ ଏସପି ଶ୍ରୀ କଟାରିଆ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, ନାଚୁଣୀ ଏସଆଇ କେଶବ ବେହରା ପ୍ରମୁଖ ଉପସ୍ଥିତ ଥିଲେ ।