୬୭ ବର୍ଷରେ ହୀରାକୁଦ ବନ୍ଧ, ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହିତ ବିକାଶର ଅନ୍ୟତମ ସାରଥୀ ଭାବେ ହୋଇଛି ଉଭା
ସମ୍ବଲପୁର : ୬୭ ବର୍ଷରେ ପଦାର୍ପଣ କଲା ବିଶ୍ବ ପ୍ରସିଦ୍ଧ ହୀରାକୁଦ ବନ୍ଧ । ଇତିମଧ୍ୟରେ ଏହି ଜୀବନରେଖା ତାର ୬୬ ବର୍ଷର ସ୍ବର୍ଣିମ ସ୍ବାକ୍ଷର ଛାଡି ଯାଇଛି। ଜାତିର ସ୍ବାର୍ଥ ପାଇଁ ନିର୍ମିତ ଏହି ବୃହତ ପ୍ରକଳ୍ପ ଆଜି ଓଡ଼ିଶାର ଅଗଣିତ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହିତ ବିକାଶର ଅନ୍ୟତମ ସାରଥୀ ଭାବେ ଉଭା ହୋଇଛି।
ଓଡିଶା ସ୍ବାଧୀନତା ପୂର୍ବରୁ ତଥା ପରବର୍ତ୍ତୀ ସମୟରେ ବହୁବାର ପ୍ରଳୟଙ୍କରୀ ବନ୍ୟାର ସମ୍ମୁଖୀନ ହୋଇ ଆସିଥିଲା। ଏହାର ନିରାକରଣ ପାଇଁ ସ୍ବାଧୀନତାର ପରେ ପରେ ମହାନଦୀର ହୀରାକୁଦରେ ଏହି ବିଶାଳ ନଦୀବନ୍ଧର ପରିକଳ୍ପନା କରାଯାଇଥିଲା। ଆଉ ଦେଶ ସ୍ବାଧୀନ ହେବାର ଠିକ୍ ବର୍ଷକ ପରେ ୧୯୪୮ ମସିହାରେ ଏହି ବୃହତ ପ୍ରକଳ୍ପ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରଠାରୁ ନିର୍ମ।ଣ ଆରମ୍ଭ ହୋଇଥିଲା। ଆଉ ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଆଜିର ଦିନରେ ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ ସ୍ବର୍ଗତ ନେହରୁ। ଏହାକୁ ଉଦଘାଟନ କରି ସେ ସ୍ବାଧୀନ ଭାରତର ପ୍ରଗତିର ଏକ ମନ୍ଦିର ବୋଲି ଅଭିହିତ କରିଥିଲେ।
ଇତିମଧ୍ୟରେ ଏହି ପ୍ରସିଦ୍ଧ ବନ୍ଧ ୬୬ ବର୍ଷ ଅତିକ୍ରାନ୍ତ କରିସାରିଛି। ଆଉ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଓଡିଶାବାସୀଙ୍କ ଜନଜୀବନର ଏକ ପ୍ରମୁଖ ଆଧାର ଭାବେ ପରିଗଣିତ ହୋଇଆସିଛି। ଏହି ବନ୍ଧ ଦ୍ବାରା ୭୪୩ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଜଳଭଣ୍ଡାର ଏସିଆ ମହାଦେଶର ସର୍ବବୃହତ କୃତ୍ରିମ ହ୍ରଦର ମାନ୍ୟତା ପାଇ ଆସିଛି। ଏହି ପାଣି ଦ୍ବାରା ସୃଷ୍ଟି ହୋଇଥିବା ହୀରାକୁଦ ସେଚାଞ୍ଚଳ ସମ୍ବଲପୁର, ବରଗଡ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାର ଏକ ବୃହତ ଅଞ୍ଚଳକୁ ଶସ୍ୟଶ୍ୟାମଳା କରିପାରିଛି। ସେହିପରି ଏଠାରେ ନିର୍ମାଣ ହୋଇଥିବା ବୁର୍ଲ। ଏବଂ ଚପିଲିମା ଆଦି ଦୁଇ ପାବାର ହାଉସ ଦୀର୍ଘ ୬ ଦଶନ୍ଧି ଧରି ରାଜ୍ୟର ଶକ୍ତିସଙ୍କଟକୁ ଅନେକ ମାତ୍ରାରେ ଦୂର କରିବାରେ ସହାୟକ ହୋଇ ଆସିଛି।
ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଅଣ ମୌସୁମୀ ଅବଧିରେ ଏହି ଶକ୍ତିକେନ୍ଦ୍ରରୁ ବ୍ୟବହାର ହୋଇ ମହାନଦୀ ତଳମୁଣ୍ଡରେ ପ୍ରବାହିତ ହେଉଥିବା ପାଣି ସମ୍ବଲପୁରରୁ ପାରାଦୀପ ମଧ୍ୟରେ ଥିବା ସମସ୍ତ ଜିଲ୍ଲାର ପାନୀୟ ଜଳ ସଙ୍କଟ ଦୂର କରିବା ସହିତ କଟକ ଡେଲଟା ଅଞ୍ଚଳରେ ଜଳସେଚିତ ହୋଇପାରୁଛି। ସେହିପରି ଗତ ୨ ଦଶନ୍ଧି ତଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ଦ୍ରୁତ ଶିଳ୍ପାୟନ ଏହି ଜଳଭଣ୍ଡାରର ପାଣି ଭରସାରେ ଆଗେଇ ପାରିଛି।
ଏହାବାଦ ଜଳଭଣ୍ଡାର ଉପକଣ୍ଠରେ ବସବାସ କରୁଥିବା ୨୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାରକୁ ଏହା ରୋଜଗାର ଦେଇ ଆସିଛି। ଏହି ଜଳଭଣ୍ଡାରରୁ ମାଛ ମାରି ହଜାର ହଜାର ମତ୍ସ୍ୟଜୀବୀ ସେମାନଙ୍କ ପେଟପାଟଣା ଚଲାଇ ଆସୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହି ଜଳଭଣ୍ଡାରର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ବ୍ୟାପିଥିବା ବିସ୍ତୀର୍ଣ ଜଳରାଶି ଯୋଗୁଁ ପର୍ଯ୍ୟଟନର ଏକ ବିରାଟ ସୁଯୋଗ ସୃଷ୍ଟି କରିଛି। ପ୍ରତିବର୍ଷ ହୀରାକୁଦ ଏବଂ ଏହାର ସଂଲଗ୍ନ ଅଞ୍ଚଳକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ବର୍ଷକରେ ଶୀତ ଚାରିମାସ ବିଦେଶାଗତ ପକ୍ଷୀଙ୍କ କଳରବ ଏମାନଙ୍କୁ ଆନମନା କରି ଆସିଛି। ପର୍ଯ୍ୟଟନର ବିକାଶ ପାଇଁ ହୀରାକୁଦକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏକ ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାବାଦ୍ ଆଜକୁ ୩ ବର୍ଷ ହେଲା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଶୀତ ଦିନରେ ଆୟୋଜିତ ହେଉଥିବା ଇକୋ ରିଟ୍ରିଟ୍ ବ୍ୟବସ୍ଥା ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଉଭା ହୋଇଛି।
ତେବେ, ମହାନଦୀ ଉପରେ ଛତିଶଗଡର ବହୁ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ ନିର୍ମ।ଣ ଯୋଗୁଁ ଆଜି ଓଡିଶା ବହୁ ମାତ୍ରାରେ ପ୍ରଭାବିତ ହେଉଛି। ସେ ଯାହାବି ହେଉ ହୀରାକୁଦ ବନ୍ଧ ଅଧା ଓଡିଶାର ଜୀବନରେଖା ଭାବେ ଆଗାମୀ ଅନେକ ଦଶନ୍ଧି ଯାଏ କାର୍ଯ୍ୟ କରିବ ଏଥିରେ ଦ୍ବିମତ ନାହିଁ।