୯ ବନ୍ଜାରା ଗିରଫ, ୬ ମୋବାଇଲ ଫୋନ ସହ ୨୪୭୦ ଟଙ୍କା ଜବତ
କଟକ : ପୁରୀଘାଟ ଥାନା ପୋଲିସ ଦୁଇ ମହିଳାଙ୍କ ସମେତ ୯ ଜଣ ବନ୍ଜାରା ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୬ଟି ଦାମୀ ମୋବାଇଲ ଫୋନ ଓ ନଗଦ ୨ ହଜାର ୪୭୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ପୁରଲିଆ ଜିଲ୍ଲା କଲିତୈାଲା ଥାନା ଅନ୍ତର୍ଗତ ବାରଗେଡିର ମୂଳବାସିନ୍ଦା ତଥା ଜଗତପୁର ପୋଲ ତଳେ ରହୁଥିବା ରାମ ସିଂହ(୧୯), ସେହି ଥାନା ଅନ୍ତର୍ଗତ ବଳରାମପୁରର ମୂଳବାସିନ୍ଦା ତଥା ଜଗତପୁର ପୋଲ ତଳେ ରହୁଥିବା ଆକାଶ ସିଂହ(୧୯), ସୁରଜ ସିଂହ(୨୩) ସଜ୍ଜନ ସିଂହ, ଅଜିତ ସିଂହ(୨୭), ଇତୱାନି ମାଲି(୨୩), ବନାରସି ସିଂହ(୨୦) ଓ ମାଲଗୋଦାମ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟରେ ରହୁଥିବା ଚାନ୍ଦିନୀ ସିଂହ(୨୫) ଏବଂ ଚନ୍ଦା ସିଂହ(୨୦) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ସାଲେପୁର ଅଂଚଳର ସୁଦର୍ଶନ ମହାନ୍ତି ଗତ ୬ ତାରିଖରେ ଦୁର୍ଗାମେଢ ଭସାଣି ଦେଖି ବାଇକରେ ଘରକୁ ଫେରୁଥିବା ବେଳେ ରାତି ୧୧ଟାରେ ଗଣେଶଘାଟ ନିକଟରେ ୬/୭ ଜଣ ଆସି ତାଙ୍କ ଘେରିଯାଇ ତାଙ୍କର ମନିପର୍ସ ସହିତ ମୋବାଇଲ ଫୋନ ଛଡାଇ ନେଇ ପଳାଇଥିଲେ । ମନିପର୍ସରେ ତାଙ୍କର ୫ ହଜାର ଟଙ୍କା ଥିଲା । ଏନେଇ ଶ୍ରୀ ମହାନ୍ତି ପୁରୀଘାଟ ଥାନାରେ ଏତଲା ଦେବା ପରେ ପୋଲିସ ସିସିଟିଭି ଫୁଟେଜ ଓ ମୋବାଇଲ ଟ୍ରାକିଂ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଆଜି ଗିରଫ କରିବାରେ ସଫଳ ହୋଇଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ବନଜାରାମାନେ ବହୁ ସଂଖ୍ୟାରେ ଜଗତପୁର ଗୋଲେଇ ଛକ ତଳେ ରହି ଏହିପରି ଚୋରି, ଡକାୟତି ଓ ଛିନତାଇ କରୁଥିବା ନେଇ ବହୁବାର ଅଭିଯୋଗ ହେଉଥିଲେ ହେଁ ପୋଲିସ ଏମାନଙ୍କ ଉପରେ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।