ରାଜ୍ୟରେ ପୂରଣ ହେବ ୭୨୭୬ ଡାକ୍ତର ପଦବୀ, ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର
- ଓପିଏସସିକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ
ଭବନେଶ୍ୱର : ରାଜ୍ୟରେ ୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡିଶା ଷ୍ଟାଫ୍ ସିଲେକସନ କମିଶନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ । ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଓପିଏସସି ପଦକ୍ଷେପ ନେବ । ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୨ ହଜାର ୫୦୦ ପଦବୀ ରହିଥିବାବେଳେ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୨ ହଜାର ୪୬୫ ପଦବୀ ରହିଛି । ସେହିପରି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ୧୫୯୭ ପଦବୀ ରହିଛି । ଏସଇବିସି ପ୍ରାର୍ଥୀଙ୍କ ପାଇଁ ୭୧୪ ପଦବୀ ସଂରକ୍ଷିତ ରହିଛି ।
ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନା, ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏଥିସହିତ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ରାଜ୍ୟରେ ଏଣିକି ଆଉ ଡାକ୍ତର ଅଭାବ ରହିବନି ।
ଖୁବଶୀଘ୍ର ରାଜ୍ୟରେ ପୂରଣ ହେବାକୁ ଯାଉଛି ୭୨୭୬ଟି ଡାକ୍ତରୀ ପଦବୀ । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀକୁ ପୂରଣ ନେଇ ଓପିଏସସି ପଦକ୍ଷେପ ଗ୍ରହଣ କରିବ । ରାଜ୍ୟରୁ ଡାକ୍ତର ଅଭାବ ଦୂର କରିବା ପାଇଁ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ (ଓଏମଏଚସି) କ୍ୟାଡରରେ ୫ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରାଯାଇଛି । ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର (ଏଲଟିଏମଆରଓ) ପାହ୍ୟାରେ ଏହି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏ ନେଇ ପ୍ରମୁଖ ମହାଲେଖାକାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପତ୍ର ଲେଖି ଜଣାଇଥିଲେ ।
ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ଏଲଟିଏମଆରଓ ପାହ୍ୟାରେ ୨ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରିଥିବା ବେଳେ ପୁଣି ୫ ହଜାର ହଜାର ସୃଷ୍ଟି କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଏକ ଡାକ୍ତର ବଳକା ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୬୮୯ ଜଣ ଡାକ୍ତର, ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତି ହେବେ । ପ୍ରତି ଉପଖଣ୍ଡ ଚିକିତ୍ସାଳୟ ପାଇଁ ୧୫ଟି ଲେଖାଏଁ ପଦ ସୃଷ୍ଟି କରାଯାଇଥିବା ବେଳେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ୩୭୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଓ ପ୍ରତି ସିଏଚସିରେ ୧୦ ଜଣ ଲେଖାଏଁ ଡାକ୍ତର ନିଯୁକ୍ତି ପାଇବେ ।