ଦୋଳସାହି ବଜାରରେ ୪ ମାଛ ଦୋକାନ ଉଚ୍ଛେଦ
ତିହିଡ଼ି : ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଦୋଳସାହି ବଜାରରେ ଥିବା ୪ଟି ମାଛ ଦୋକାନକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି । ତହସିଲଦାର ପ୍ରତୀକ ସାହୁ ସେହି ଦୋକାନ ସବୁକୁ ଉଚ୍ଛେଦ କରିଥିଲେ । ପୂର୍ବରୁ ଦୋଳସାହି ବଜାରରେ ୧୪ଟି ମାଛ ଦୋକାନ ଥିଲା । ଏହି ମାଛ ଦୋକାନ ପଛ ପାଶ୍ୱର୍ରେ କିଛି ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ଦୋକାନ ଥିଲା । ତିନି ବର୍ଷ ପୂର୍ବେ ଭଦ୍ରକ ତହସିଲଦାରଙ୍କ ନିକଟରେ ନିଜସ୍ୱ ଜାଗାରେ ଦୋକାନ ଥିବା ବ୍ୟକ୍ତିମାନେ ମାଛ ଦୋକାନକୁ ଉଚ୍ଛେଦ ପାଇଁ ଆବେଦନ କରିଥିଲେ । ତତ୍କାଳୀନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ସେହି ମାଛ ଦୋକାନ ସବୁକୁ ଉଚ୍ଛେଦ କରିଥିଲେ । ମାତ୍ର କିଛିମାସ ପରେ ସେହି ମାଛ ଦୋକାନୀମାନେ ପୁଣି ଜାଗା ମାଡ଼ି ବସିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ହେମନ୍ତ ସାହୁ, ମନୋଜ ବିଶ୍ୱାଳ, ରଂଜନ ପ୍ରଧାନ, ବୁନୁ ସାହୁ ଓ ନୀଳମଣି ସାହୁ ମାଛ ଦୋକାନକୁ ଉଚ୍ଛେଦ ପାଇଁ ଭଦ୍ରକ ଏସଡିଜେଏମ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟ ଏହି ମାମଲାରବିଚାର କରି ମାଛ ଦୋକାନକୁ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତହସିଲଦାର ଶ୍ରୀ ସାହୁ ଏ ସମ୍ପର୍କରେ ମାଛ ଦୋକାନୀ ମାନଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ ନୋଟିସ୍ ଦେଇଥିଲେ । ନୋଟିସ୍ ପାଇବା ପରେ ୧୦ଜଣ ଦୋକାନୀ ଜାଗା ଛାଡ଼ି ଦେଇଥିଲେ ମଧ୍ୟ ୪ଜଣ ଜାଗା ମାଡ଼ି ବସିଥିଲେ । ଉଚ୍ଛେଦ ସମୟରେ ତହସିଲଦାରଙ୍କ ସହିତ ନୂଆନନ୍ଦ ପଞ୍ଚାୟତ ସରପଞ୍ଚ ନିହାରିକା ବିଶ୍ୱାଳ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ତିହିଡ଼ି ଥାନା ଆଇଆଇସି ଏମଡି ହାପିଜ୍ଙ୍କ ସହିତ ପୁଲିସ ଫୋର୍ସ ମୁତୟନ ଥିଲେ ।