ଶିକ୍ଷକଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୧୧୭ ତମ ରାଜ୍ୟସ୍ତରୀୟ ଜୟନ୍ତୀ
କଟକ : ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍ଷ୍ଟା)ର ପ୍ରାଣ ପ୍ରତିଷ୍ଠାତା, ଶିକ୍ଷକ ମହାସଂଘର ଆଜୀବନ ସଭାପତି, ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ, ଗାନ୍ଧିବାଦୀ ନୀତି ଆଦର୍ଶରେ ଅନୁପ୍ରାଣୀତ ପୁଣ୍ୟାତ୍ମା ଶିକ୍ଷକଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୧୧୭ ତମ ରାଜ୍ୟସ୍ତରୀୟ ଜୟନ୍ତୀ ବନମାଳୀ ବ୍ରହ୍ମଚାରୀ ଭବନ, ଝାଞ୍ଜିରୀମଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଲ୍ଷ୍ଟାର ସଭାପତି ବିକ୍ରମ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏହି ସଂଗଠନର ପ୍ରାକ୍ତନ ସଭାପତି ସାରଦା ପ୍ରସନ୍ନ ମହାପାତ୍ର, ପ୍ରାକ୍ତନ ଉପସଭାପତି ପ୍ୟାରୀମୋହନ ଦାସ ଯୋଗଦେଇଥିଲେ । ସାଧାରଣ ସଂପାଦକ ସୁକାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ପ୍ରତାପ କିଶୋର ମହାପାତ୍ର, ଭୃଗୁରାମ ରାଉତ, ରାଜକୁମାର ସାହୁ, କାର୍ଯ୍ୟକାରୀ ସଭାପତି ଶିବନାରାୟଣ ବେହେରା, ଉପ ସଭାପତି ଧନେଶ୍ୱର ପାତ୍ର, କିଶୋର କୁମାର ମହାରଥା, ଅଶୋକ କୁମାର ରାଉତ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମଣ୍ଡଳୀ ସଭ୍ୟସଭ୍ୟା ଏବଂ ଓଡ଼ିଶାର ବିଭିନ୍ନ ରାଜସ୍ୱ ଜିଲ୍ଲାର ସଂଗଠନର ସଭାପତି ଓ ସଂପାଦକମାନେ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଊପସ୍ଥିତ ସଭ୍ୟମାନେ ପୁଣ୍ମାତ୍ମା ବ୍ରହ୍ମଚାରୀଙ୍କ ବହୁବିଧ ପ୍ରତିଭା ସଂପର୍କରେ ଆଲୋଚନା ପୂର୍ବକ ଓଡ଼ିଶାର ସମସ୍ତ ଶିକ୍ଷକମାନେ ବ୍ରହ୍ମଚାରୀଙ୍କ ନୀତି ଆଦର୍ଶକୁ ପାଥେୟ କରି ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପାଇଁ କାର୍ଯ୍ୟ କଲେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଯଥେଷ୍ଟ ବିକାଶ ଘଟିବ ବୋଲି ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା । ତାଙ୍କର ଆଦର୍ଶ ଓ ତାଙ୍କ କାର୍ଯ୍ୟଧାରାକୁ ପାଥେୟ କରି ଶିକ୍ଷକ ସମାଜ ସତ୍ୟ, ନ୍ୟାୟ, ଧର୍ମରେ ପରିଚାଳିତ ହୋଇ ନିଜର ଶିକ୍ଷାଦାନକୁ ଏକ ମହତ କାର୍ଯ୍ୟ ଭାବି ନିଜକୁ ଉତ୍ସର୍ଗୀକୃତ କରିପାରିଲେ, ତାହା ହିଁ ହେବ ଶିକ୍ଷକଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ।