ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ। ପରୀକ୍ଷା ହେବ କି ନାହିଁ, ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ। ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ।

ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ ନବୀନ ନିବାସ ଯିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଯାଇ ଅଭିଯୋଗ ଜଣାଇଥିଲେ। ପରେ ସେଠାରୁ ସେମାନେ ନବୀନ ନିବାସ ଯାଇଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ ଯେ, ସିବିଏସଇ ଦଶମ ପରୀକ୍ଷା ବାତିଲ କରିସାରିଛି। ରାଜ୍ୟ ସରକାର ବି ପରୀକ୍ଷା ବାତିଲ କରନ୍ତୁ। ସିବିଏସଇ ଢାଞ୍ଚାରେ ସରକାର ପୂର୍ବ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ନଚେତ ସରକାର ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ନିଷ୍ପତ୍ତି ନେଇ ଜଣାନ୍ତୁ। ପରୀକ୍ଷା ଅଫଲାଇନ କି ଅନ୍ଲାଇନରେ ହେବ ଶୀଘ୍ର ଜଣାନ୍ତୁ। ଜୁନ୍ ମାସ ପର୍ଯ୍ୟନ୍ତ ନିଷ୍ପତ୍ତି ଝୁଲାଇବା ଅନୁଚିତ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯାଇ ଜଣାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଫେରିଥିଲେ।