ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ; ଆସନ୍ତା ୩ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି
ଭୁବନେଶ୍ୱର: ଡହ ଡହ ଖରାରେ ଜଳୁଛି ସାରା ଓଡ଼ିଶା । ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଥିବାରୁ ରାଜ୍ୟରେ ତାତି ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ତିନି ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏପ୍ରିଲ ୧୮ ତାରିଖଠୁ ୨୦ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଯୋଗ୍ୟ ଯେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧିପାଇବ । ଆସନ୍ତା ୨୦ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୨୦ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ପ୍ରକାଶଥାଉକି, ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରାଯାଇଥିଲା । ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା । ତେବେ ପିଲାମାନଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ ମୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯାଇଥିଲା । ତେବେ ଅତ୍ୟଧିକ ଖରା ଦୃଷ୍ଟିରୁ ତିନିଦିନ ଧରି ସ୍କୁଲ ବନ୍ଦ କରାଯାଇଛି । ଆଜି ରାମ ନବମୀ ପାଇଁ ସ୍କୁଲ ଛୁଟି ରହିଥିବା ବେଳେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ରଖାଯାଇଛି । ପୁଣି ସୋମବାର ଖୋଲିବ ସ୍କୁଲ ।