ସପ୍ତାହାନ୍ତ ସଟ୍ଡାଉନ୍ ବେଳେ ପ୍ରାତଃ ଭ୍ରମଣ ପାଇଁ ୧ ଘଣ୍ଟା କୋହଳ
ଭୁବନେଶ୍ୱର : ୨୪ତାରିଖ ସକାଳ ୫ଟା ଠାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଅର୍ଥାତ୍ ସୋମବାର ଓ ରବିବାର ରାଜ୍ୟସରକାର କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାପାଇଁ ସପ୍ତାହନ୍ତ ସଟ୍ଡାଉନ୍ ଘୋଷଣା କରିଥିଲେ । ମାତ୍ର ସୋସିଆଲ୍ ମିଡ଼ିଆରେ ଅନେକବ୍ୟକ୍ତି ପ୍ରାତଃ ଭ୍ରମଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିବାପରେ ରାଜ୍ୟ ସରକାର ଶନିବାର ଓ ରବିାର ସକାଳ ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏକଘଂଟା ପାଇଁ ସଟ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି । ଶୁକ୍ରବାର ମଧ୍ୟାହ୍ନରେ ସ୍ୱତନ୍ତ୍ର ରିଲିଫ୍ କମିନଶର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ରାଜ୍ୟବ୍ୟପି ଶୁକ୍ରବାର ରାତି ୯ଟା ଠାରୁ ନାଇଟ୍ କର୍ଫ୍ୟୁ ଜାରି ରହିଥିବା ବେଳେ ପ୍ରାତଃ ଭ୍ରମଣ, ଯୋଗିଂ ଏବଂ ଫିଟ୍ନେସ୍ ପାଇଁ ସାଇକେଲିଂ ଲାଗି ଏକଘଂଟା ପାଇଁ ଏହି କଟକଣାକୁ ଦୁଇଦିନ ପାଇଁ କୋହଳ କରାଯାଉଛି । ଏହା ପରେ ଆଉ ଲୋକେ ବାହାରକୁ ବାହରିପାରିବେ ନାହିଁ । ସେହିପରି ସପ୍ତାହନ୍ତ ସଟ୍ଡାଉନ୍ ପାଇଁ ନିୟମିତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ । ହେଲେ କେବଳ ରେଳଷ୍ଟେସନ୍ ଓ ବିମାନ ବନ୍ଦରରୁ ଯାତ୍ରୀମାନଙ୍କୁ ନେବ ମୋ ବସ୍ । ରେଳଷ୍ଟେସନରୁ ଆସୁଥିବା ଯାତ୍ରୀମାନଙ୍କୁ କଟକ ଓ ଖୋର୍ଦ୍ଧା ଯିବାପାଇଁ ମୋ ବସ୍ ସେବା ଯୋଗାଇଦିଆଯିବ ବୋଲି କୃଟ୍ ପକ୍ଷରୁ ସୂଚନା ଦିଆଯାଇଛି । ବସ୍ରେ କୌଣସି ବ୍ୟକ୍ତି ଛିଡା ହୋଇ ଯାଇ ପାରିବେ ନାହିଁ ଓ ସମସ୍ତେ ମାସ୍କ ପିନ୍ଧିବେ । ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି କି କଟକ ଓ ଭୁବନେଶ୍ୱରରେ ୬୮ସ୍ଥାନରେ ପୋଲିସ୍ର ଚେକ୍ ପୋଷ୍ଟ ରଖାଯାଇ ଲୋକମାନଙ୍କୁ ଯାଂଚ କରାଯିବ । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସଂସ୍ଥାର କର୍ମଚାରୀମାନେ ସଂସ୍ଥାରୁ ପାଇଥିବା ପରିଚୟପତ୍ର ଦେଖାଇ ରାସ୍ତାରେ ଯାତାୟତ କରିପାରିବେ । ଅନ୍ୟ ଲୋକଙ୍କୁ ଯିବାପାଇଁ ଅନୁମତି ମିଳିବନାହିଁ । ବରଂ ବାହାରକୁ ବାହାରିଲେ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥିପାଇଁ ଉଭୟ କଟକ ଓ ଭୁବନେଶ୍ୱରରେ ୧୦ ପ୍ଲାଟୁନ୍ ଲେଖାଏଁ ପୋଲିସ୍ ଫର୍ସ ଓ ୧୦୦ ଜଣ ଲେଖାଏଁ ଅଫିସର ନିଯୁକ୍ତି ପାଇବେ ।