ଲୁଟ ପାଇଁ ଯୁବକଙ୍କୁ ଛୁରାମାଡ, ମେଡିକାଲରେ ଭର୍ତ୍ତି
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଷ୍ଟେସନ ରାସ୍ତା ନିକଟ ବେହେରାପଡା ଛକ ନିକଟରେ ଲୁଟ ପାଇଁ ଜଣେ ଯୁବକଙ୍କୁ ଛୁରାମାଡ । ଛୁରାମାଡରେ ଯୁବକ ଗୁରୁତର । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ବଙ୍ଗୋମୁଣ୍ଡା ଥାନା ତେତେଲପଡା ଗାଁର ରମେଶ ବନଛୋର ଓ ପୃଥିରାଜ୍ ଚନ୍ଦନ ବସ ଷ୍ଟାଣ୍ଡକୁ ଆସୁଥିଲେ । ଏହି ସମୟରେ ୪ ରୁ ୫ ଜଣ ଦୁର୍ବୃତ୍ତ ପଛ ପଟୁ ଆସି ୨ଜଣକୁ ଘେରିବା ସହ ଲୁଟ ପାଟ କରିଥିଲେ । ଲୁଟ ସମୟରେ ଦୁର୍ବୃତ୍ତ ମାନେ ରମେଶ ବନଛୋରଙ୍କ ଗଳାରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଏବଂ ମୋବାଇଲ୍ ଛଡ଼ାଇ ନେଇଥିଲେ । ସେପଟେ ରମେଶଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଲୋକେ। ଦୁର୍ବୃତ୍ତମାନେ ରମେଶଙ୍କ ପାଖରେ ଥିବା ମୋବାଇଲ ଏବଂ ୨୩୦୦ ଟଙ୍କା ଏବଂ ପୃଥିରାଜଙ୍କ ମୋବାଇଲ ଓ ଘଣ୍ଟାକୁ ଛଡ଼ାଇଛନ୍ତି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଁଚି ଅଧିକ ତଦନ୍ତ ଜାରି କରିଛି ।