ଯୁବକଙ୍କୁ ନିର୍ମମ ହତ୍ୟା, ଅନ୍ୟ ଜଣେ ଗୁରୁତର
ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରି ଫେରିଲେ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ତହସିଲ ରାସ୍ତାରେ ଶନିବାର ଭୋର ସମୟରେ ପ୍ରଦୀପ କୁମାର ନାୟକ ଓରଫ ବଳିଆ(୩୫) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଦୁବୃତ୍ତ ମାନେ ତାଙ୍କ ବେକ ଓ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ସହିତ ତାଙ୍କ ହାତ ଭାଙ୍ଗୀଯାଇଥିବାର ଜଣାଯାଇଛି । ମୃତ ବଳିଆଙ୍କ ଘର ସ୍ଥାନୀୟ ରିଆ ଗ୍ରାମରେ ଓ ସେ ଜଣେ ଡ୍ରାଇଭର ଅଟନ୍ତି । ରାତ୍ରୀ ୨ଟାରେ ବଳିଆ ଡ୍ୟୁଟିରୁ ଫେରିବା ପରେ ଏହି ହତ୍ୟାକାଣ୍ଡ ଭୋର ୩ଟା ମଧ୍ୟରେ ଘଟିଥିବାର ସ୍ଥାନୀୟ ଲୋକ ମାନେ ସୂଚନା ଦେଇଛନ୍ତି । ତେବେ ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅପରାହ୍ନରେ ଘଟଣା ସ୍ଥଳରେ ପୋଲିସ, ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ୍ ପହଁଞ୍ଚି ତଦନ୍ତ କରି ଫେରିଯାଇଥିଲେହେଁ କୌଣସି ସୁରାକ ମିଳିପାରିନାହିଁ । ନିଜ ଘରଠାରୁ କିଛି ଦୂର ତହସିଲ-ରିଆ ଗାଁ ରାସ୍ତାର ଏକ ଖୋଲା ସ୍ଥାନରେ ବଳିଆ ପ୍ରତ୍ୟେକ ଦିନ ପବନ ବୋହୁଥିବା ଫାଙ୍କା ସ୍ଥାନରେ କିଛି ସମୟ ବସାବସି କରି ଘରକୁ ଯାଉଥିବାର ତାଙ୍କ ପରିବାର ଲେକେ କହିଛନ୍ତି । ହତ୍ୟାକାଣ୍ଡ ଘଟିଥିବା ଉକ୍ତ ସ୍ଥାନରେ ବଳିଆଙ୍କ ବାଇକ (ଓଡି ୨୨ବି ୭୬୩୭) ଠିଆହୋଇଥିବା ବେଳେ ତାଙ୍କ ଚପଲ ମଧ୍ୟ ରହିଛି । ତେବେ କେଉଁ କାରଣକୁ ନେଇ ସେ ହତ୍ୟାକାଣ୍ଡର ଶିକାର ହେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅପରପକ୍ଷେ ଦୁର୍ଘଟଣା ସ୍ଥଳରୁ ପ୍ରାୟ ୨୦ଫୁଟ ଦୂର ନୟନଜୋଡି ମଧ୍ୟରୁ ପ୍ରଭାସ କୁମାର ଜେନା(୨୮) ନାମକ ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ଘର ମଧ୍ୟ ରିଆ ଅଞ୍ଚଳରେ ଓ ସେ ମୃତ ବଳିଆଙ୍କ ପୋଡଶୀ ଅଟନ୍ତି । ପ୍ରଭାସ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବା ବେଳେ ରଜ ଉତ୍ସବ ପାଇଁ ଗାଁକୁ ଆସିଥିଲେ । ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡ ସ୍ଥଳର କିଛି ଦୂରରେ ପ୍ରଭାସଙ୍କ ପଲସର ବାଇକ(ଓଡି ୨୨ୟୁ ୭୪୪୬) ଭାଙ୍ଗୀ ଓଲଟି ପଡିଥିବାର ଦେଖାଯାଇଛି । କୋମା ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେବା ଯୋଗୁଁ ପ୍ରଭାସଙ୍କ ନିକଟରୁ କୌଣସି ସୁରାକ ମିଳିପାରିନାହିଁ । ତେବେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବଳିଆଙ୍କ ଶରୀରକୁ ଦେଖି ପ୍ରଭାସ ଛାନିଆଁରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି କିମ୍ବା ଅନ୍ୟ କିଛି ଘଟଣା ଘଟିଛି ତାହା ଜଣାଯାଇନାହିଁ । ତଦନ୍ତ ପରେ ଯାହାକିଛି ଜଣାପଡିବ ବୋଲି ପୋଲିସ କହିଛି । ସୂଚନାଯେ ଗତ ୨ା୪ା୨୨ରେ ବାଲିଖଣ୍ଡ ଅଞ୍ଚଳରେ ଆନନ୍ଦ ବିହାରୀ ପତ୍ରୀ ନାମକ ଜଣେ ଅବସର ବୃଦ୍ଧ ଶିକ୍ଷକଙ୍କୁ ଦୁବୃତ୍ତ ମାନେ ଅନୁରୂପ ଭାବେ ହାଣି ହତ୍ୟା କରିଥିଲୋ । ଗତ ୧୫ା୬ା୨୨ରେ ଜଣେ ଶିକ୍ଷକଙ୍କୁ ଦୁବୃତ୍ତ ମାନେ ହାଣି ଆହତ କରିବା ସହିତ ବଣା ରାସ୍ତାରେ ଜଣେ ମହିଳାଙ୍କ ଠାରୁ ଲୁଟ ହୋଇଥିଲା । ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହିତ ପୋଲିସର ବିଫଳତା ସାଧାରଣରେ ଭୟ ସୃଷ୍ଟି କରିଛି ।