କ୍ୟାବିନେଟ ବୈଠକରେ ଯୋଗୀଙ୍କ ବଡ ଘୋଷଣା : ମାଗଣା ରାସନ୍ ସାମଗ୍ରୀ ଅଧିକ ୩ ମାସ ବୃଦ୍ଧି, ଉପକୃତ ହେବେ ୧୫ କୋଟି
ଲକ୍ଷ୍ନୌ : ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରିବା ପରେ ସେ ଏକ ବଡ ଘୋଷଣା କରିଛନ୍ତି । ଗରିବ ଶ୍ରେଣୀର ଲୋକଙ୍କୁ ଯେଉଁ ମାଗଣା ରାସନ୍ ସାମଗ୍ରୀ ମିଳୁଥିଲା ଏହି ଯୋଜନାକୁ ଅଧିକ ୩ ମାସ ବଢାଇ ଦିଆଯିବାକୁ ଯୋଗୀ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ୧୫ କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ରାଜ୍ୟର ୧୫ କୋଟି ଲୋକଙ୍କ ଜୀବନ ବଦଳିଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ।
ଆଜିର କ୍ୟାବିନେଟ ବୈଠକ ପରେ ଯୋଗୀଙ୍କ ସହ ଏକାଠି ଆସିଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ । ଏହି ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, କରୋନା କାଳରେ ଆରମ୍ଭ ହୋଇଥିବା ମାଗଣା ରାସନ୍ ଯୋଜନାକୁ ଆହୁରି ଅଧିକ ୩ ମାସ ଯାଏଁ ବୃଦ୍ଧି କରାଯିବ । ଏହାସହ ଯୋଗୀ ସରକାର ସବୁବେଳେ ଗରିବଙ୍କ ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବୃଜେଶ ପାଠ୍ ।