ଉତ୍ତରପ୍ରଦେଶରେ ଆରମ୍ଭ ହେଲା ଯୋଗୀ ଶାସନ, ଜାତିଗତ ଏବଂ କ୍ଷେତ୍ରଗତ ସମୀକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ଯୋଗୀ ଶାସନ। ରାଜ୍ୟ ରାଜନୀତିରେ ସେ ହେଉଛନ୍ତି ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଯିଏ ସମ୍ପୂର୍ଣ୍ଣ ରୂପେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି । ଗତ ୨୦୧୭ ମାର୍ଚ୍ଚ ୧୯ ତାରିଖରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ ସେ । ଏଥର କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବୃଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନେତୃତ୍ୱାଧିନ ଦ୍ୱିତୀୟ ପାଳି ସରକାରରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୌର୍ଯ୍ୟ ।
ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉପରେ ଜନସାଧାରଣ ପୁଣିଥରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ଗଠନ ବେଳେ ରାଜ୍ୟର ଜାତିଗତ ଏବଂ କ୍ଷେତ୍ରଗତ ସମୀକରଣ ଏବଂ ୨୦୨୪ ଲୋକସଭା ନିର୍ବାଚନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ବିଜେପି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ନଜର ରଖିଛି ଦଳ । ଯୋଗୀ କ୍ୟାବିନେଟ୍ ୨.୦ ରେ ଅନେକ ନୂତନ ଚେହେରାଙ୍କ ଅନ୍ତର୍ଭୁକ୍ତ କରାଯାଇଥିବା ଦଳ ଅନେକ ପୁରୁଣା ଚେହେରାଙ୍କ ଉପରେ ପୁନର୍ବାର ଭରଷା କରିଛି। ଏଥର ମନ୍ତ୍ରୀମଣ୍ଡଳ ବିଜେପି ସାମ୍ନାରେ ଅନେକ ଚ୍ୟାଲେଞ୍ଜ୍ ରହିଥିଲା। ଏପରି ପରିସ୍ଥିତିରେ ଦଳ କ୍ଷେତ୍ରଗତ ସହ ଜାତିଗତ ସମୀକରଣ ଉପରେ ଧ୍ୟାନ ଦେଇଥିଲା।
ଦ୍ୱିତୀୟ ପାଳି ବିଜେପି ସରକାରରେ ମନ୍ତ୍ରୀ ପଦ ପାଇଥିବା ୫୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୦ ଜଣ ପଛୁଆ ବର୍ଗ, ୮ ଜଣ ଅନୁସୂଚିତ ଜାତି, ୭ ବ୍ରାହ୍ମଣ, ୬ ଠାକୁର, ୪ ବଣିଆ, ୨ ଭୂମିହାର୍, ୧ କାୟସ୍ଥ, ୧ ଶିଖ୍, ୧ ମୁସଲମାନ, ୧ ଖତ୍ରୀ ପଞ୍ଜାବୀ, ୧ ଆଦିବାସୀ ଚେହେରା ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ପାଳି ସରକାରରେ ଏକ ମାତ୍ର ମୁସଲିମ ମନ୍ତ୍ରୀ ଥିବା ମୋହସିନ ରଜାଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନାହିଁ । ତାଙ୍କ ସ୍ଥାନରେ ଦାନିଶ ଆଜାଦକୁ ମୁସଲମାନ ଚେହେରା ଭାବେ ସ୍ଥାନ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଶାସିତ ରାଜ୍ୟ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ ।