ଗ୍ରୀଷ୍ମ ପ୍ରବାହ ପାଇଁ ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟର ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଉପର ମୁହାଁ ହେଲାଣି ପାରଦ । ଏପ୍ରିଲ ଆରମ୍ଭ ନ ହେଉଣୁ ଖରା ମୁଣ୍ଡବିନ୍ଧା ପରିସ୍ଥିତି ସୃଷ୍ଟି କରୁଛି । ଅଂଶୁଘାତ ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ଏଯାବତ ବଲାଙ୍ଗୀରରେ ସର୍ବାଧିକ ୪୧.୦ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୧୯.୫ଡିଗ୍ରି ସେଲସିୟସ ତାପମାତ୍ରା ରହିଛି ।
ଆସନ୍ତା ମାର୍ଚ୍ଚ ୩୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହି ଜିଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବରଗଡ଼ ରହିଛି । ଏସବୁ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଖରା ସମୟରେ ନବଜାତ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ତାରିଖ ମଧ୍ୟରେ ବରଗଡ଼, ବେ?ଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ, କଳାହାଣ୍ଡି ଓ ସମ୍ବଲପୁର ଆଦି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏପ୍ରିଲ ୧ରୁ ୨ ତାରିଖ ମଧ୍ୟରେ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲାକୁ ବି ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆବଶ୍ୟକ ନଥିଲେ ଖରା ସମୟରେ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।