ପଦାର୍ପଣ ମ୍ୟାଚ୍ରେ ଶତକ ହାସଲ କରି ଇତିହାସ ରଚିଲେ ଯଶସ୍ଵୀ ଜୟସଓ୍ଵାଲ୍
ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା ଯଶସ୍ଵୀ ଜୟସଓ୍ଵାଲ ଶତକ ମାରି ଇତିହାସ ରଚିଛନ୍ତି। ଜୟସଓ୍ଵାଲ ୨୧୫ ବଲ୍ରେ ପ୍ରଥମ ଟେଷ୍ଟ ଶତକ ପୂରା କରିଛନ୍ତି। ସେ ଭାରତ ବାହାରେ ପଦାର୍ପଣ ମ୍ୟାଚ୍ରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓପନର। ଯଶସ୍ଵୀ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ଏବଂ ଦ୍ଵିଶତକୀୟ ଭାଗିଦାରୀ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଛନ୍ତି।
ଡେବ୍ୟୁ ମ୍ୟାଚ୍ରେ ଯଶସ୍ଵୀ ଜୟସଓ୍ଵାଲଙ୍କ ପୂର୍ବରୁ ଓପନର ଭାବେ ଶିଖର ଧାଓ୍ଵନ ଏବଂ ପୃଥ୍ଵୀ ଶ ଶତକ ହାସଲ କରିଥିଲେ। ସେ ୨୧୫ ବଲ୍ରେ ୧୧ ଚୌକା ସହ ଶତକ ପୂରା କରିଛନ୍ତି। ଶିଖର ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ସେହିପରି ପୃଥ୍ଵୀ ଶ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୮ରେ ୧୩୪ ରନ କରିଥିଲେ। ହେଲେ ଏହି ଦୁଇ ଓପନର ଘରୋଇ ମାଟିରେ ହିଁ ଶତକ ଅର୍ଜନ କରିଥିଲେ। କିନ୍ତୁ ଯଶସ୍ଵୀ ଜୟସଓ୍ଵାଲ ବିଦେଶ ମାଟିରେ ପଦାର୍ପଣ ମ୍ୟାଚ୍ରେ ଶତକ ହାସଲ କରିବାରେ ଭାରତର ପ୍ରଥମ ଓପନର ହେବାର ରେକର୍ଡ କରିଛନ୍ତି।
ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଡୋମିନିକାରେ ଖେଳା ଯାଉଛି। ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହେବା ପରେ ଭାରତ ଦମଦାର ଆରମ୍ଭ କରିଛି। ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା କୌଣସି ଓ୍ଵିକେଟ୍ ନ ହରାଇ ୮୦ ରନ କରିଥିଲା। ଦ୍ଵିତୀୟ ଦିନରେ ଯଶସ୍ଵୀ ଜୟସଓ୍ଵାଲ୍ ଦମଦାର ବ୍ୟାଟିଂ କରି ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ତାଙ୍କ ପ୍ରଦର୍ଶନରେ ବେଶ ଖୁସି ନଜର ଆସିଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼। ଯଶସ୍ଵୀ ଅର୍ଦ୍ଧଶତକ ପୂରା କରିବା ପରେ ଡ୍ରେସିଂ ରୁମରେ କୋଚ୍ ରାହୁଲଙ୍କ ପ୍ରତିକ୍ରିୟା ଭାଇରାଲ୍ ହେଉଛି।