ଡବ୍ଲୁଟିସି ଫାଇନାଲ : କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତ ଏବଂ ଅଷ୍ଟ୍ରେଲିଆ ଖେଳାଳି, ଟ୍ରେନ ଦୁର୍ଘଟଣା ପୀଡିତଙ୍କ ପାଇଁ ଜଣାଇଲେ ସମବେଦନା
ଲଣ୍ଡନ : ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପୂର୍ବରୁ ଦୁଇ ଦଳର ଖେଳାଳି ଓଡ଼ିଶା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି। ଦୁଇ ଦଳର ଖେଳାଳୀମାନେ କଳାପଟି ପିନ୍ଧିଛନ୍ତି।
ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଲଢେଇ ଆରମ୍ଭ ହୋଇଯାଇଛି । ଲଣ୍ଡନର ଓଭାଲ ମୈଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବିଗ୍ ଫାଇଟ୍ । ଟାଇଟଲ ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ । ତେବେ ବୁଧବାର ଉଭୟ ଟିମର ଖେଳାଳି କଳା ପଟି ପିନ୍ଧି ଖେଳୁଛନ୍ତି । ଓଡ଼ିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତି କରିବା ପାଇଁ କଳା ବ୍ୟାଚ୍ ପିନ୍ଧିଛନ୍ତି ।
ବିସିସିଆଇ ମଧ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ବିସିସିଆଇ କହିଛି, ‘ଡବ୍ଲୁଟିସି ଫାଇନାଲର ପ୍ରଥମ ଦିନ ଖେଳା ଆରମ୍ଭ ପୂର୍ବରୁ ଓଡ଼ିଶା ଟ୍ରେନ ଟ୍ରାଜେଡିର ପୀଡିତଙ୍କ ସ୍ମୃତିରେ ଭାରତୀୟ କ୍ରିକେଟ ଟିମ୍ ନୀରବ ପ୍ରାର୍ଥନା କରିଛି । ଦୁର୍ଘଟଣାରେ ମୃତକଙ୍କ ପରି ଶୋକ ବ୍ୟକ୍ତ କରିବା ସହ ଯେଉଁ ପରିବାର ଏବଂ ସମ୍ପର୍କୀୟ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଏହି ଦୁଃଖର ସମୟରେ ପୀଡିତଙ୍କ ସହ ଠିଆ ହେବା, ଟିମ୍ ଇଣ୍ଡିଆ ଆର୍ମବ୍ୟାଣ୍ଡ ପିନ୍ଧିବ’।
ସୂଚନା ଯେ, ଗତ ଶୁକ୍ରବାର ସଂଧ୍ୟାରେ ବାଲେଶ୍ଵର ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣା ସାରାବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏଥିରେ ଏ ଯାଏଁ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।