ବାଜିଲା ଡବ୍ଲୁପିଏଲ ବିଗୁଲ, ଟ୍ରଫି ଉନ୍ମୋଚନ
ମୁମ୍ବାଇ : ବାଜିଲା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ) ବିଗୁଲ। ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଭାରତୀୟ କ୍ରିକେଟ ଇତିହାସର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ କ୍ରିତି ସାନନ ନିଜର ଚମତ୍କାର ମଞ୍ଚ ଅଭିନୟ କରିଥିଲେ ।
ଉଦଘାଟନୀ ସମାରୋହରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ନିଜର ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ । ଏହି ସମୟରେ ଡବ୍ଲ୍ୟୁପିଏଲ୍ ଏବଂ ୫ଟି ଦଳର ଲୋଗୋ ସହ ପଡ଼ିଆରେ ଏକ ତାରକା ଚିହ୍ନ ଗଠନ କରାଯାଇଥିଲା । ଏହାପରେ ୫ଟି ଫ୍ରାଞ୍ଚାଇଜର ଅଧିନାୟିକାମାନେ (ମେଗ୍ ଲାନିଂ, ବେଥ୍ ମୁନି, ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ଆଲିସା ହିଲି) ମିଳିତ ଭାବେ ବିସିସିଆଇର କର୍ମକର୍ତ୍ତା ସଭାପତି ରୋଜର ବିନ୍ନି, ମହାସଚିବ ଜୟ ଶାହା, ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ସିଂହ ଧୁମାଲ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଓ ଦେବଜିତ୍ ସାଇକିଆଙ୍କ ଉପସ୍ଥିତିରେ ଡବ୍ଲ୍ୟୁପିଏଲ୍ ଟ୍ରଫି ଉନ୍ମୋଚନ କରିଥିଲେ । ଟ୍ରଫି ଉନ୍ମୋଚନ ପରେ ହରମନପ୍ରୀତ କୌର ଏବଂ ସ୍ମୃତି ମନ୍ଧାନା ପରସ୍ପରକୁ ଆଲିଙ୍ଗନ କରିଥିଲେ। ଡବ୍ଲ୍ୟୁପିଏଲ୍ ଇତିହାସର ପ୍ରଥମ ମ୍ୟାଚ୍ ଦେଖିବା ପାଇଁ ଜାତୀୟ କ୍ରିକେଟ୍ ଏକାଡେମି ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର ସମେତ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀମାନେ ଉପସ୍ଥିତ ଥିଲେ ।
ପ୍ରଥମ ସଂସ୍କରଣର ଉଦ୍ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ସ୍ଥିତ ଡି.ଓ୍ୱାଇ ପାଟିଲ୍ ଷ୍ଟାଡିୟମ୍ରେ ଏହି ଏହି ମ୍ୟାଚ ଖେଳାଯିବ । ଗୁଜରାଟର ନେତୃତ୍ବ ଟି-୨୦ ମହିଳା ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆ ବ୍ୟାଟର ବେଥ ମୁନି ନେଉଛନ୍ତି । ସେହିପରି ଏହି ଦଳରେ ଭାରତର ତାରକା ଖେଳାଳି ହର୍ଲିନ ଦେଓଲ ଓ ସ୍ନେହା ରଣା ରହିଛନ୍ତି । ଏମାନଙ୍କ ସହ ଦଳରେ ମହିଳା ବିଶ୍ବକପ୍ ବିଜେତା ଦଳର ଆସ୍ଲେ ଗାର୍ଡନର, ଜର୍ଜିଆ ୱାରେହାମ, ୱେଷ୍ଟ୍ଇଣ୍ଡିଜ୍ର ଦେନ୍ଦ୍ରା ଡଟିନ, ଇଂଲଣ୍ଡର ସୋଫିଆ ଡଙ୍କ୍ଲେଙ୍କ ଭଲି ତାରକା ଖେଳାଳି ରହିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଏହି ଦଳର ମାର୍ଗଦର୍ଶକ ଓ ପରାମର୍ଶଦାତା ଅଛନ୍ତି । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମିଳିଛି ।
ଗୁଜରାଟ ଜାଏଣ୍ଟ୍ସ :
ବେଥ ମୁନି (ଅଧିନାୟିକା), ଅଶ୍ୱିନୀ କୁମାରୀ, ହର୍ଲିନ ଦେଓଲ, ଡିଣ୍ଡ୍ରା ଡଟିନ୍, ସୋଫିଆ ଡଙ୍କ୍ଲୀ, ହର୍ଲୀ ଗାଲା, ଏସଲେ୍ ଗାର୍ଡନର, ଦୟାଲନ୍ ହେମଲତା, ମାନସୀ ଯୋଶୀ, ତନୁଜା କନୱାର, ସାବିନେନି ମେଘନା, ମୋନିକା ପଟେଲ, ସ୍ନେହ ରାଣା, ସବନମ୍ ଏମ୍ଡି, ପାରୁଣିକା ସିସୋଦିଆ, ଆନାବେଲ ସୁଦରଲାଣ୍ଡ୍, ସୁଷମା ବର୍ମା, ଜର୍ଜିୟା ୱେୟାରହାମ୍ ।
ମୁମ୍ବାଇ ଇଣ୍ଡିଆନ୍ସ :
ହର୍ମନପ୍ରୀତ କୌର (ଅଧିନାୟିକା), ପ୍ରିୟଙ୍କା ବାଲା, ୟସ୍ତିକା ଭାଟିଆ, ନୀଲମ ବିଷ୍ଟ, ହିଦର ଗ୍ରାହାମ, ଧାରା ଗୁଜ୍ଜର, ସାଇକା ଇସାକ୍, ଜିଣ୍ଟିମଣୀ କାଲିତା, ଅମନଜୋତ କୌର, ହୁମାଇରା କାଜି, ଆମେଲିୟା କେର, ହାୟଲୀ ମାଥ୍ୟୁସ, ନାଟାଲି ସାଇବର-ବ୍ରୁଣ୍ଟ, କ୍ଲୋଏ ଟ୍ରାୟନ୍, ପୂଜା ଭସ୍ତ୍ରକାର, ଇସି ୱଙ୍ଗ୍, ସୋନମ ଯାଦବ ।