ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଜାଣନ୍ତୁ ୟୁକ୍ରେନ-ଋଷ ସଙ୍କଟରେ କେଉଁ ଦେଶ କାହା ସହିତ ଛିଡା ହୋଇଛି?
ନୂଆଦିଲ୍ଲୀ : ୟୁକ୍ରେନକୁ ନେଇ ଆମେରିକା ଓ ଋଷ ମଧ୍ୟରେ ଚାଲିଥିବା ବିବାଦ ଧୀରେ ଧୀରେ ଯୁଦ୍ଧ ଆଡ଼କୁ ଗତି କରୁଛି । ଉଭୟ ଦେଶ ମଧ୍ୟରେ କୂଟନୈତିକ ପ୍ରୟାସର ବିଫଳତା ପରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି ଓ ଦୁନିଆରେ ଆଉ ଏକ ମହା ଯୁଦ୍ଧର ଆଶଙ୍କା ଦେଖାଦେଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ପୂର୍ବ ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳ “ଡୋନେଟସ୍କ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ୱାଧୀନ ଦେଶ ଭାବରେ ସ୍ୱୀକୃତି ଦେବା ପରେ ୟୁକ୍ରେନ-ରୁଷର ତିକ୍ତତା ଆହୁରି ବଢ଼ିଯାଇଛି । ଋଷ ୟୁକ୍ରେନ ସୀମାରେ ୧.୫ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିଛି, ଯାହା ବିଷୟରେ ପାଶ୍ଚାତ୍ୟ ଦେଶମାନେ କହିଛନ୍ତି ଯେ ଋଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି ଯେ ଋଷର ୟୁକ୍ରେନ ଉପରେ ଆକ୍ରମଣ ୨୪ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇପାରେ।
ଅନ୍ୟପଟେ ଋଷ କହିଛି ଯେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ ଓ ଋଷର ସେନା ୟୁକ୍ରେନ ସୀମାରେ ଦେଶକୁ ନାଟୋ ବିସ୍ତାରରୁ ରକ୍ଷା କରିବା ପାଇଁ ଠିଆ ହୋଇଛି । ଏହି ସମୟରେ ପୁଟିନଙ୍କ ଘୋଷଣା ଆମେରିକା ସମେତ ପାଶ୍ଚାତ୍ୟ ଦେଶକୁ ଉତ୍ତେଜିତ କରିଛି । ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ମଧ୍ୟ ଋଷ ଉପରେ କଡ଼ା ପ୍ରତିବନ୍ଧକ ଘୋଷଣା କରିଛନ୍ତି । ଏହି ସମୟରେ କେଉଁ ଦେଶ କାହା ସହିତ ଅଛି ସେନେଇ ଏବେ ଏହି ବିତର୍କ ତୀବ୍ର ହୋଇଛି । ଭାରତ କାହାକୁ ସମର୍ଥନ କରିବ, ଉଭୟ ଆମେରିକା ଓ ଋଷର ନଜର ଏହା ଉପରେ ଅଛି, କିନ୍ତୁ ଭାରତ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିରପେକ୍ଷତା ବଜାୟ ରଖିଛି ।
ୟୁକ୍ରେନ ପ୍ରସଙ୍ଗରେ ପ୍ରମୁଖ ଦେଶର ଆଭିମୁଖ୍ୟ କ’ଣ?
ଆମେରିକା :
ୟୁକ୍ରେନ ସୀମାରେ ଋଷର ସୈନ୍ୟ ସଂଖ୍ୟା ବଢ଼ାଇକୁ ଆମେରିକା ବିରୋଧ କରିଆସୁଛି । ସେ ସର୍ବଦା ଚେତାବନୀ ଦେଇ ଆସୁଛି ଯେ, ରୁଷୀୟ ସୈନ୍ୟମାନେ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଋଷର ରାଷ୍ଟ୍ରପତିଙ୍କ ୟୁକ୍ରେନର ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ୱାଧୀନ ଅଞ୍ଚଳ ଭାବରେ ସ୍ୱୀକୃତି ଦେଇଥିବାରୁ ଋଷ ଉପରେ ଆମେରିକା କଠୋର କଟକଣା ଜାରି କରିଛି । ଜୋ ବାଇଡେନ ଋଷର ଦୁଇଟି ଆର୍ଥିକ ପ୍ରତିଷ୍ଠାନ ଭିଇବି ଓ ଋଷୀ ମିଲିଟାରୀ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାରୁ ଋଷର ଅର୍ଥନୀତିର କିଛି ଅଂଶ ହଟାଯାଉଛି ବୋଲି ବାଇଡେନ ଘୋଷଣା କରିଛନ୍ତି । ଏହା ସହିତ ଆମେରିକା ଋଷର ଧନୀ ଲୋକ ଓ ସେମାନଙ୍କ ପରିବାର ଉପରେ ମଧ୍ୟ କଟକଣା ଲାଗୁ କରୁଛି । ଏଥି ସହିତ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସହାୟତା ଦେଉଛି । ମଙ୍ଗଳବାର ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ ୟୁକ୍ରେନକୁ ଆମେରିକା ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାର ପ୍ରତିଶୃତି ଦେଇଛି । ତେବେ ୟୁକ୍ରେନରେ ଋଷ ବିରୁଦ୍ଧରେ ସେନା ପଠାଇବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଛି ।
ଭାରତ :
ଭାରତ ଉଭୟ ଆମେରିକା ଓ ଋଷର ନିକଟତର । ଆମେରିକା ଚାହୁଁଛି ଯେ ଭାରତ ତାକୁ ସମର୍ଥନ କରୁ କିନ୍ତୁ ଋଷ ସହିତ ଭାରତର ରଣନୀତିକ ଭାଗିଦାରୀ ବହୁତ ଅଧିକ । ପ୍ରତିରକ୍ଷା ଉପକରଣ ପାଇଁ ଋଷ ଉପରେ ଭାରତର ନିର୍ଭରଶୀଳତା ରହିଆସିଛି । ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ମଧ୍ୟ ଭାରତ ପାଇଁ ଋଷର ସମର୍ଥନ ଆବଶ୍ୟକ । ଏଭଳି ପରିସ୍ଥିତିରେ ଭାରତ ପାଇଁ କୌଣସି ପକ୍ଷ ରଖିବା ଅତ୍ୟନ୍ତ କଷ୍ଟକର ହେବ । ଭାରତ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନର ପରିସ୍ଥିତିକୁ ନେଇ ଜରୁରୀକାଳୀନ ବୈଠକରେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ କହିଛି ଯେ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ନିଜକୁ ସଂଯମ କରିବା ଉଚିତ୍ ।
ୟୁରୋପୀୟ ୟୁନିଅନ୍ :
ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ୍ସ ମାଇକେଲ ୟୁକ୍ରେନ ସହ ଏକତା ଦେଖାଇ କହିଛି ଯେ ୟୁକ୍ରେନ ପ୍ରତି ବିପଦ ସମଗ୍ର ୟୁରୋପ ପାଇଁ ବିପଦ ଅଟେ । ଋଷୀ ବ୍ୟାଙ୍କ ଓ ଇୟୁର ଆର୍ଥିକ ବଜାର ପର୍ଯ୍ୟନ୍ତ ଋଷର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଇୟୁ ସେହି ଋଷୀ ସାଂସଦଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛି ଯେଉଁମାନେ ୟୁକ୍ରେନକୁ ନେଇ ଋଷ ସପକ୍ଷରେ ସହମତ ହୋଇଛନ୍ତି । ଇୟୁ ମଧ୍ୟ ଋଷକୁ ବିଶ୍ୱ ବ୍ୟାଙ୍କିଙ୍ଗ୍ ସିଷ୍ଟମରୁ କାଟି ଦେଇପାରେ ।
ବ୍ରିଟେନ :
ବ୍ରିଟେନ କହିଛି ଯେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଆରମ୍ଭ କରିସାରିଛି ଓ ଏହାକୁ ଦୃଷ୍ଟିରେ ରଖି ଋଷ ଉପରେ କଟକଣା କଡାକଡି କରାଯିବ । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଏହା ଅତ୍ୟନ୍ତ ବିପଜ୍ଜନକ ସଙ୍କେତ ହୋଇପାରେ ଓ ଋଷର ଏହି ପଦକ୍ଷେପ ୟୁକ୍ରେନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିବ । ବ୍ରିଟେନ ଋଷର ୬ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଋଷର ତିନିଟି ବଡ଼ ବିଲିୟନେୟାରଙ୍କ ବ୍ରିଟେନ ସ୍ଥିତ ସମ୍ପତ୍ତି ମଧ୍ୟ ଫ୍ରିଜ୍ କରାଯାଇଛି ଓ ସେମାନଙ୍କ ବ୍ରିଟେନରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଚୀନ :
ସାମ୍ପ୍ରତିକ ସମୟରେ ଋଷ ଓ ଚୀନ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି । ଆମେରିକା ସହିତ ଚୀନର ସମ୍ପର୍କ ଏକ ଖରାପ ସ୍ଥିତିରେ ପହଞ୍ଚିଛି । ବିଗତ ଦିନରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଋଷର ସୁରକ୍ଷା ଚିନ୍ତାକୁ ଠିକ୍ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହାକୁ ଗୁରୁତର ସହ ନିଆଯିବା ଉଚିତ ଓ ଏହାର ସମାଧାନ କରାଯିବା ଉଚିତ । ଋଷ ଚାହୁଁ ନାହିଁ ଯେ ୟୁକ୍ରେନ ନାଟୋରେ ଯୋଗ ଦିଅନ୍ତୁ, କିନ୍ତୁ ଆମେରିକା, ପାଶ୍ଚାତ୍ୟ ଦେଶ ଏବଂ ୟୁକ୍ରେନ ମଧ୍ୟ ଚାହୁଁଛନ୍ତି ଯେ ୟୁକ୍ରେନ ନାଟୋର ସଦସ୍ୟ ହୁଅନ୍ତୁ । ଏହି ପ୍ରସଙ୍ଗରେ ଉତ୍ତେଜନା ବୃଦ୍ଧି ପାଇଛି । ଋଷର ଏହି ସୁରକ୍ଷା ଚିନ୍ତାକୁ ଦର୍ଶାଇ ଚୀନ୍ କହିଛି ଯେ ଋଷର ଚିନ୍ତାକୁ ଧ୍ୟାନରେ ରଖିବା ଉଚିତ୍ । ଚୀନର ପକ୍ଷ ଋଷ ଆଡକୁ ରହିଛି, କିନ୍ତୁ ଏପର୍ଯ୍ୟନ୍ତ ଚୀନ ଋଷର ଏହି ପଦକ୍ଷେପକୁ ସମର୍ଥନ କରିନାହିଁ । ଚୀନ ମଧ୍ୟ ଭାରତ ଭଳି ସନ୍ତୁଳିତ ବୟାନ ଦେଉଛି । ତେବେ ମିଳିତ ଜାତିସଂଘ କିମ୍ବା ଅନ୍ୟାନ୍ୟ ଫୋରମରେ ଚାଇନା ଋଷକୁ ସମର୍ଥନ କରିପାରେ ବୋଲି କୁହାଯାଉଛି ।
ଫ୍ରାନ୍ସ :
ଋଷର ରାଷ୍ଟ୍ରପତି ପୁଟିନ ସୋମବାର ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱାଧୀନ ରାଜ୍ୟ ଭାବରେ ସ୍ୱୀକୃତି ଦେଇଛନ୍ତି । ପୁଟିନଙ୍କ ସମ୍ୱୋଧନକୁ ପାଗଳାମି ବୋଲି ଫ୍ରାନ୍ସ କହିଛି । ଫ୍ରାନ୍ସ କହିଛି ଯେ, ଋଷର ରାଷ୍ଟ୍ରପତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିଛନ୍ତି ଓ ବର୍ତ୍ତମାନ ଫ୍ରାନ୍ସ ଋଷ ବିରୋଧରେ କଠୋର କଟକଣା ଲାଗୁ କରିବ । ୟୁରୋପୀୟ ୟୁନିଅନର ଋଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଫ୍ରାନ୍ସ ମଧ୍ୟ ସ୍ୱାଗତ କରିଛି । ମାକ୍ରୋନ୍ କ୍ରମାଗତ ଭାବରେ କହୁଛନ୍ତି ଯେ ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଋଷକୁ ଏକ ବଡ ମୂଲ୍ୟ ପରିଶୋଧ କରିବାକୁ ପଡ଼ିବ ।
ଜର୍ମାନୀ :
ଜର୍ମାନୀ ଋଷର ନର୍ଡ ଷ୍ଟ୍ରିମ୍ ୨ ଗ୍ୟାସ୍ ପାଇପଲାଇନ ବନ୍ଦ କରିଦେଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଋଷ ଜର୍ମାନୀକୁ ଗ୍ୟାସ ବିତରଣ କରିବାକୁ ଯାଉଥିଲା । ଋଷର ସମ୍ପ୍ରତି ପଦକ୍ଷେପ ନେଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜର୍ମାନୀ କହିଛି । ଆରମ୍ଭରୁ ଜର୍ମାନୀ ୟୁକ୍ରେନ ପାର୍ଶ୍ୱରେ ଛିଡ଼ା ହୋଇଛି ।