ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଋଷର ସାମୁଦ୍ରିକ ସୀମାରେ ପଶିଲା ଆମେରିକାର ପରମାଣୁ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ : ୟୁକ୍ରେନକୁ ନେଇ ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଋଷର ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡିଛି । ଆମେରିକା ଓ ଋଷ ଯେଉଁଠି ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ଘେରାବନ୍ଦୀରେ ଲାଗିଛି, ଅନ୍ୟପଟେ ଆମେରିକାର ସୈନ୍ୟବାହିନୀ ମଧ୍ୟ ପୂର୍ବ ଫ୍ରଣ୍ଟରେ ନିଜର କାର୍ଯ୍ୟକଳାପକୁ ଜୋରଦାର କରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଋଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣର ଚେତାବନୀ ମଧ୍ୟରେ ଆମେରିକାର ନୌସେନାର ପରମାଣୁ ବୁଡ଼ାଜାହାଜ ଋଷର ଜଳ ସୀମା ଭିତରକୁ ପ୍ରବେଶ କରିଛି । ଏହା ଦ୍ୱାରା ଋଷ ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛି ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଶୀତଳ ଯୁଦ୍ଧର ଯୁଗରେ ପହଞ୍ଚିଥିବାର ଦେଖାଯାଉଛି । ଏହି କାରଣରୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି ।
ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକାର ଭର୍ଜିନିଆ କ୍ଲାସର ପରମାଣୁ ବୁଡ଼ାଜାହାଜ ଆମର ଜଳ ସୀମାକୁ ପ୍ରବେଶ କରିଛି । ଯେତେବେଳେ ଋଷର ଯୁଦ୍ଧପୋତ ଆମେରିକାର ବୁଡ଼ାଜାହାଜକୁ ଭୂପୃଷ୍ଠକୁ ଆସିବାକୁ କହିଲା, ସେତେବେଳେ ଏହାକୁ ଅଣଦେଖା କରାଯାଇଥିଲା । ଏହା ପରେ ଋଷର ନୌସେନା ଆମେରିକାର ବୁଡ଼ାଜାହାଜ ବିରୁଦ୍ଧରେ ‘ବିଶେଷ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରିଛି । ଋଷର ନୌସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ଆମେରିକାର ବୁଡ଼ାଜାହାଜ ତୁରନ୍ତ ଋଷର ସମୁଦ୍ର ଅଞ୍ଚଳରୁ ପଳାଇଯାଇଥିଲା । ଏହି ଘଟଣାରେ କ୍ଷୁବ୍ଧ ଋଷ ଆମେରିକାର ପ୍ରତିରକ୍ଷା ଅତାଶେକୁ ଡକାଇ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ ଦେଇଛି । ଋଷର ଅଭିଯୋଗକୁ ଆମେରିକା ଅସ୍ୱୀକାର କରିଛି ।
ଋଷର ଗଣମାଧ୍ୟମ ଅନୁଯାୟୀ, ଏହି ଆମେରିକୀୟ ବୁଡ଼ାଜାହାଜର ପ୍ରବେଶ ଘଟଣା ଜାପାନ ନିକଟରେ ଅବସ୍ଥିତ କୁରିଲ ଦ୍ୱୀପପୁଞ୍ଜ ନିକଟରେ ଘଟିଛି । ଆଜିକାଲି ଋଷର ନୌସେନା ଏହି ଅଞ୍ଚଳରେ ସାମରିକ ଅଭ୍ୟାସ କରୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଦ୍ୱୀପ ଋଷ ଦ୍ୱାରା ଅଧିକୃତ ହୋଇଥିଲା କିନ୍ତୁ ଜାପାନ ଏହାକୁ ନିଜର ବୋଲି ଦାବି କରୁଆସୁଛି । ଆମେରିକା ନିଜର ଭର୍ଜିନିଆ କ୍ଲାସର ବୁଡ଼ାଜାହାଜକୁ ଅଧିକାଂଶ ସମୟରେ ଆଣ୍ଟି ସବମେରାଇନ ଯୁଦ୍ଧ ଓ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ବ୍ୟବହାର କରିଥାଏ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୬୨ ମିନିଟ ଧରି ବାର୍ତ୍ତାଳାପ ଚାଲିଥିଲା । ଏହା ପରେ ବାଇଡେନ ଜୋରଦାର କାର୍ଯ୍ୟାନୁଷ୍ଠାନକୁ ନେଇ ଚେତାବନୀ ଦେଇଛନ୍ତି ।
ବାଇଡେନ ଋଷକୁ ଚେତାବନୀ ଦେଇଛନ୍ତି ଯେ, ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ଏହାର ସହଯୋଗୀ ଦଳ ଏହାର ଉଚିତ ଜବାବ ଦେବେ । ଏଥି ସହିତ ବାଇଡେନ ପୁଟିନଙ୍କୁ ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଉପରେ ଆମେରିକା କୂଟନୈତିକ କାର୍ଯ୍ୟ ଜାରି ରଖିବ କିନ୍ତୁ ଅନ୍ୟ ପରିସ୍ଥିତି ପାଇଁ ସମାନ ଭାବରେ ପ୍ରସ୍ତୁତ ଅଛି । ଆମେରିକା ବର୍ତ୍ତମାନ ପୋଲାଣ୍ଡ ଓ ଋଷ ସହିତ ଲାଗିଥିବା ଅନ୍ୟ ନାଟୋ ଦେଶରେ ହଜାର ହଜାର ସୈନିକଙ୍କୁ ମୁତୟନ କରିଛି । ଏଠାରେ କହି ରଖୁଛୁ ଯେ, ପରମାଣୁ ଚାଳିତ ଦ୍ରୁତ ଆକ୍ରମଣ କରୁଥିବା ଭର୍ଜିନିଆ କ୍ଲାସର ବୁଡ଼ାଜାହାଜଗୁଡିକ ଟୋମାହାକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଥାଏ । ଷ୍ଟିଲ ଫିଚର ସହିତ ସଜ୍ଜିତ କାରଣରୁ ଶତ୍ରୁ ରାଡାରମାନେ ଏହି ବୁଡ଼ାଜାହାଜକୁ ଡିଟେକ୍ଟ କରିବାରେ ଅସମର୍ଥ । ଆଣ୍ଟି ସବମେରାଇନ୍ ଯୁଦ୍ଧରେ ଏହି ବୁଡ଼ାଜାହାଜ ଦୁନିଆରେ କୌଣସି ମୁକାବିଲା ନାହିଁ ।