ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ : ୩ନଂକୁ ଉଠିଲା ପାକିସ୍ତାନ, ୪ର୍ଥରେ ଭାରତ
ଦୁବାଇ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୩ନଂ ସ୍ଥାନରେ ପହଂଚି ଯାଇଛି ପାକିସ୍ତାନ । ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ ଅଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକା ବର୍ତମାନ ୭୧.୪୩ ପ୍ରତିଶତ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହିଛି । ଗତ କିଛି ସମୟ ଧରି ଶୀର୍ଷରେ ରହିଥିବା ଅଷ୍ଟ୍ରେଲିଆ ୭୦.୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଂଟ ଟେବୁଲରେ ୱେଷ୍ଟଇଣ୍ଡିଜ ୫୦ ପ୍ରତିଶତ ସହ ପଂଚମ ସ୍ଥାନରେ ରହିଛି । ୩୩.୩୩ ପ୍ରତିଶତ ସହ ଇଂଲଣ୍ଡ ସପ୍ତମ, ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡ ୨୫.୯୩ ପ୍ରତିଶତ ସହ ଅଷ୍ଟମ ଏବଂ ବାଂଲାଦେଶ ୧୩.୩୩ ପ୍ରତିଶତ ସହ ନବମ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜକୁ ବାଦ୍ ଦେଲେ ତଳ ଆଡୁଥିବା ତିନି ଦଳର ଫାଇନାଲ୍ ଦୌଡରୁ ବାଦ୍ ପଡି ସାରିଛନ୍ତି ।
ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ହରାଇବା ପରେ ପାକିସ୍ତାନ ଏହି ସଫଳତା ହାସଲ କରିଛି । ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଦେଇଥିବା ୩୪୨ ରନର ଟାର୍ଗେଟକୁ ପାକିସ୍ତାନ ଶେଷ ଦିନରେ ହାସଲ କରି ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି । ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ୨୨୨ ରନ କରିଥିବା ବେଳେ ପାକିସ୍ତାନ ୨୧୮ ରନରେ ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୩୭ ରନ କରିବାରୁ ପାକିସ୍ତାନକୁ ୩୪୨ ରନର ଟାର୍ଗେଟ ମିଳିଥିଲା । ଏହି ଟାର୍ଗେଟକୁ ପାକିସ୍ତାନ ଓପନର ଅବଦୁଲ୍ଲା ସଫୈକ୍ୟୁଙ୍କ ଅପରାଜିତ ୧୬୦ ରନ ବଳରେ ୬ ୱିକେଟ ହରାଇ ହାସଲ କରି ନେଇଛି । ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂରିୟା ପ୍ରଥମ ଇନିଂସରେ ୬ଟି ୱିକେଟ ଓ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ଦଖଲ କରିଛନ୍ତି । ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇବା ପରେ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଂଟ ଟେବୁଲରେ ଫାଇଦା ମିଳିଛି । ଏହି ବିଜୟ ପରେ ପାକିସ୍ତାନର ବିଜୟ ପ୍ରତିଶତ ୫୮.୩୩ ହୋଇ ଯାଇଛି । ପାକସ୍ତାନ ଉପରେ ଅଷ୍ଟ୍ରେଲିଆ ୭୦% ଓ ଦକ୍ଷିଣ ଆଫ୍ରିକା ୭୧.୪୩% ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆକୁ ହରାଇ ତାଲିକାର ୩ୟ ସ୍ଥାନରେ ଥିବା ଶ୍ରୀଲଙ୍କା ଏହି ପରାଜୟ ସହ ୬ଷ୍ଠ ସ୍ଥାନକୁ ଖସି ଯାଇଛି । ଦଳର ବିଜୟ ପ୍ରତିଶତ ମାତ୍ର ୪୮.୧୫% ରହିଛି ।
ପାକିସ୍ତାର ବିଜୟ ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥ ସ୍ଥାନରେ ରହିଛି । ଭାରତର ବିଜୟ ପ୍ରତିଶତ ୫୨.୦୮% ଓ ୫ମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜର ବିଜୟ ପ୍ରତିଶତ ୫୦% ରହିଛି । ଯଦି ପାକିସ୍ତାନ ଦ୍ୱିତୀୟ ଟେଷ୍ଟ ଜିତି ନେବ, ତା’ହେଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଆହୁରି ନିକଟତର ହେବ । ସେହିପରି ଶ୍ରୀଲଙ୍କା ଯଦି ଦ୍ୱିତୀୟ ଟେଷ୍ଟ ଜିତିବ, ତା’ହେଲେ ଦଳ ପୁଣିଥରେ ତୃତୀୟ ସ୍ଥାନ ହାସଲ କରିବାକୁ ସକ୍ଷମ ହେବ । ଅନ୍ୟପକ୍ଷରେ ପଏଂଟ ଟେବୁଲର ୭ମ ସ୍ଥାନରେ ଇଂଲଣ୍ଡ, ୮ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ତ ଓ ୯ମ ସ୍ଥାନରେ ବାଂଲାଦେଶ ରହିଛନ୍ତି । ଆସନ୍ତା ମାସରେ ଇଂଲଣ୍ଡ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟିକିଆ ଟେଷ୍ଟ ସିରିଜ ଖେଳିବ । ଏଥିରେ ବିଜୟୀ ହେଲେ ଦଳ ପଏଂଟ ଟେବୁଲର ଉପରକୁ ଉଠି ପାରିବ ।