ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା : ଆଜି ଚନ୍ଦନେଶ୍ୱର ମହାଦେବଙ୍କ ପାଞ୍ଚ ଅର୍ଘ୍ୟ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଗତ ୩ ତାରିଖରୁ ଶୁଭାରମ୍ଭ ହୋଇଛି । ଏଥିନିମନ୍ତେ ଚନ୍ଦନେଶ୍ୱର ପୀଠ ଚଳଚଞ୍ଚଳ ହେବା ସହିତ ଓଡ଼ିଶା ସମେତ ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ-ବିହାର ସମେତ ବାଂଲାଦେଶରୁ ସହସ୍ରାଧିକ ଶୈବଭକ୍ତଙ୍କ ଆଗମନ ହୋଇଛି । ହୁଗୁଳି ଗ୍ରାମର କୂଳ ପାଉନଥିବା ଜଳଯନ୍ତ୍ର ଦେବତାଙ୍କ ଠାରେ ଲକ୍ଷାଧିକ ଉପବୀତ ଧାରି ଭକ୍ତଙ୍କ ସୁଅ ଛୁଟୁଥିବାର ସୂଚନା ପାଇ ମନ୍ଦିର ଟ୍ରଷ୍ଟବୋର୍ଡ଼, ଜିଲାପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି ।
ରବିବାର ଜୀଉଙ୍କ ପାଞ୍ଚ ଅର୍ଘ୍ୟ ଦାନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମନ୍ଦିର ମୁଖ୍ୟ ଫାଟକରୁ ବିଜୁ ପଟ୍ଟନାୟକ ଗୋଲେଇ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ବ୍ୟାରିକେଡ୍ କରାଯାଇଛି । ଶନିବାର ୬ ଅର୍ଘ୍ୟରେ ମହାଦେବଙ୍କ ଠାରୁ ମୌରସୀ ତପନ କୁମାର ପଣ୍ଡା ଆଜ୍ଞାମାଳ ନେଇ ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ ହରିଶ ଚନ୍ଦ୍ର ସାହୁ, ଦେଉଳିଆ ଅଜିତ୍ ପାତ୍ର, ଉପ-ମୌରସୀ ବୁଦ୍ଧଦେବ ପଣ୍ଡା, ଶ୍ରୀବେକିଡ଼ିଙ୍କ ସହିତ ବାଦ୍ୟକାରମାନେ କୌଳିକ ରୀତିନୀତି ଅନୁଯାୟୀ ମନ୍ଦିର ପରିକ୍ରମା ପରେ ଅର୍ଘ୍ୟଦାନ କରିଛନ୍ତି । ଚନ୍ଦନେଶ୍ୱର ଜୀଉଙ୍କ ୪କିମି ବ୍ୟାପ୍ତ ପରିଧି ମଧ୍ୟରେ ଶୈବଭକ୍ତମାନେ ବିଭିନ୍ନ କ୍ୟାମ୍ପ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଯାତ୍ରୀ ନିବାସ ଓ ଲୋକଙ୍କ ଘରେ ବାସସ୍ଥାନ ନିମନ୍ତେ ଭିଡ଼ ଜମାଉଥିବାର ନଜରକୁ ଆସିଛି । ଏବେଠୁ ଚନ୍ଦନେଶ୍ୱର ବଜାରରେ ବହୁ ଦୂର ସ୍ଥାନରୁ ଦୋକାନୀମାନେ ଆସି ନିଜର ବିପଣୀ ପସରା ମେଲାଇଛନ୍ତି । ଝାଲି, ଘଣ୍ଟା, ମୃଦଙ୍ଗ, ସାହାନାଇ ବାଦ୍ୟ ସହ ହରହର ମହାଦେବ ଚନ୍ଦନେଶ୍ୱର ମହାଦେବଙ୍କୁ ଧ୍ୟାନ କରି ହରିବୋଲ ଧ୍ୱନୀରେ ପୀଠ ପ୍ରକମ୍ପିତ ହେଉଥିବା ବେଳେ ମନ୍ଦିର ଭିତରେ ଭକ୍ତଙ୍କ ଭିଡ଼ ଯୋଗୁଁ ସେବାୟତ ଓ ପଣ୍ଡାମାନେ ନାକେଦମ୍ ହୋଇପଡୁଛନ୍ତି । ଉପବୀତଧାରି ଭକ୍ତଙ୍କ ସକାଶେ ୧୦ ଟଙ୍କା ଟିକଟ ଧାର୍ଯ୍ୟ କରାଯାଇଥିବା ବେଳେ ରାତି ୮ଟାରେ ଜୀଉଙ୍କ ଉଦ୍ଦେଶ୍ୟରେ ଶୈବଭକ୍ତମାନେ ଅର୍ଘ୍ୟ ଦାନ କରିପାରିବେ ବୋଲି ଟ୍ରଷ୍ଟବୋର୍ଡ଼ ଓ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀ ଶ୍ରୀ ମହାଦେବଙ୍କ ମନ୍ଦିର ବିଦ୍ୟୁତ୍ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପ୍ରସିଦ୍ଧ ମେଳାରେ ଶାନ୍ତିଶୃଙ୍ଖଳା ନିମନ୍ତେ ୧୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛି । ଏଥିସହିତ ୨ଜଣ ଏଡ଼ିସନାଲ ଏସ୍ପି, ୮ଜଣ ଡିଏସ୍ପି, ୧୫ଜଣ ଇନ୍ସପେକ୍ଟର, ୫୦ ସବ୍-ଇନ୍ସପେକ୍ଟର, ୨୩୫ ଜଣ କନଷ୍ଟେବଳ ଓ ୨୦୦ ଜଣ ହୋମ୍ଗାର୍ଡ଼ଙ୍କ ସମେତ ଟ୍ରାଫିକ୍ ପୋଲିସ ସଜାଗ ରହିଛନ୍ତି । ଏତଦ୍ଭିନ୍ନ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ସହ ବିଜୁ ପଟ୍ଟନାୟକ ଗୋଲେଇରେ ସିସି କ୍ୟାମେରା ଖଞ୍ଜା ଯାଇଛି । ମେଳାରେ ବିଦ୍ୟୁତ୍, ପାଣି, ଶୌଚାଗାର ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ୨୪ ଘଣ୍ଟିଆ ଡେରା ପକାଇ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ, ସେବାୟତ, ପଣ୍ଡାମାନଙ୍କୁ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ତତ୍ତ୍ୱାବଧାନ କରୁଛନ୍ତି । ଓଡ଼ିଶାର ଏହି ପ୍ରସିଦ୍ଧ ମେଳାକୁ ଶାନ୍ତିଶୃଙ୍ଖଳାର ସମାପନ କରିବାକୁ ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ବିଧାୟକ ଅନନ୍ତ ଦାସ, ମୌରସୀ ତପନ କୁମାର ପଣ୍ଡା, ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ସ୍ଥାନୀୟ ଜନପ୍ରତିନିଧିମାନେ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି ।