ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବ : ଆସନ୍ତାକାଲି କାମିନୀକୁ ବରଣମାଳା ଦେଇ ପତ୍ନୀ ରୂପେ ଗ୍ରହଣ କରିବେ ଚନ୍ଦନେଶ୍ୱରଜୀଉ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ପର୍ବରେ ଶନିବାର ଥିଲା ପାଞ୍ଚ ଅର୍ଘ୍ୟ । ଚଳିତ ଇଂରାଜୀ ମାସ ଆରମ୍ଭରୁ ଦେବ ଦେବ ମହାଦେବଙ୍କ ଠାରେ ୧୩ ଉପବୀତଧାରି ଭକ୍ତ ସହ ସେବାୟତ, ପୂଜାରୀ, ପଣ୍ଡାଙ୍କ ସହମତି ଭିତ୍ତିରେ ବୈଦିକ ନୀତିକାନ୍ତି ପୂଜା ଅର୍ଚ୍ଚନା କରାଯାଉଛି । ସ୍ଥାନୀୟ ଜନପ୍ରତିନିଧି, ସେବାୟତ, ପୂଜାରୀ, ଟ୍ରଷ୍ଟବୋର୍ଡ଼ ସଦସ୍ୟଙ୍କ ସହମତିରେ ତୃତୀୟବର୍ଷ ଲାି ଚଡ଼କମେଳାର ଶ୍ରେଷ୍ଠ ୧୩ ଭକ୍ତଙ୍କ ବ୍ୟତୀତ ଅନ୍ୟ ଉପବୀତଧାରୀ ଭକ୍ତଙ୍କୁ ବ୍ରତ ଲାଗି ପ୍ରଶାସନ ଲୋକ ଲଗାଇଛନ୍ତି । ଏଭଳି ସ୍ଥିତିରେ ଶୈବଭକ୍ତଙ୍କ ଭାବାବେଗ ପ୍ରଭାବିତ ହୋଇଥିବାର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବ ଭାରତର ଏହି ପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବଙ୍କ ଠାରେ ପାଞ୍ଚ ଅର୍ଘ୍ୟରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବାଂଲାଦେଶରୁ ଲକ୍ଷାଧିକ ଶୈବଭକ୍ତ ଜୀଉଙ୍କ ଠାରେ ବ୍ରତ ଲାଗି ଆସୁଥିବା ବେଳେ ମହାମାରୀ କୋଭିଡ୍ ଯୋଗୁଁ ୩ ବର୍ଷ ଧରି ମେଳା ବନ୍ଦ ଯୋଗୁଁ ଭକ୍ତଙ୍କ ମନରେ ନୈରାଶ୍ୟ ସୃଷ୍ଟି କରିଛି ।
ଅପରପକ୍ଷରେ ରବିବାର ଭକ୍ତି ଓ ଭାବନାର ଠାକୁର କୌଳିକ ରୀତିନୀତିରେ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ କାମିନୀ ବିବାହ ସମ୍ପନ୍ନ ହେବ । ଏଥିପାଇଁ ଚନ୍ଦନେଶ୍ୱର ମନ୍ଦିରରୁ ଆଜ୍ଞାମାଳ ଭଟ୍ଟପୁର ଗ୍ରାମର ମାଳାକାର ଘରେ ନିଶିବସାନରେ ସେବାୟତ ସହ ଜୀଉଙ୍କ ଶ୍ରେଷ୍ଠ ୧୩ ଭକ୍ତ, ଟ୍ରଷ୍ଟବୋର୍ଡ଼ ସଦସ୍ୟ, ବାଦ୍ୟକାର ମାନେ ଯାଇ କାମିନୀ ଓ ଚନ୍ଦନେଶ୍ୱର ମହାଦେବଙ୍କୁ ପୂଜା ଅର୍ଚ୍ଚନା କରିବେ । ସାହାନାଇ ବାଦ୍ୟ, ରୋଷଣୀ, ଶଙ୍ଖ, ଘଣ୍ଟା, ଝିଲି ବାଦ୍ୟ ସହ ଚନ୍ଦନେଶ୍ୱର ମହାଦେବଙ୍କ ହରିବୋଲ ଧ୍ୱନୀରେ ବହୁ ଆକାଂକ୍ଷୀତ ଚନ୍ଦନେଶ୍ୱର ଜୀଉ କାମିନୀ ନାମିତ ଅସୁରୁଣୀକୁ ବରଣମାଳା ଦେଇ ପତ୍ନୀ ରୂପେ ଗ୍ରହଣ କରିବେ । ସେଠାରେ ଓଡ଼ିଆ ସଂସ୍କୃତି ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ପରେ ଶିବ ଓ ଦୁର୍ଗାଙ୍କ ପୁଷ୍ପସଜ୍ଜିତ ଘଟକୁ ଅଣାଯାଇ ମନ୍ଦିର ରୁଦ୍ଧଦ୍ୱାରରେ ଜୀଉଙ୍କ ବିବାହ ସମ୍ପନ୍ନ ହେବ ।