ବିଶ୍ୱକପ-୨୦୨୩ : ବିରାଟ କୋହଲିଙ୍କ ଐତିହାସିକ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଲକ୍ଷ୍ୟ
କୋଲକାତା : ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ । ବିରାଟଙ୍କ ଏହି ଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାଡେନ୍ସରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।
ନିଜର ୩୫ତମ ଜନ୍ମଦିନରେ କୋହଲିଙ୍କ ଜଲଓ୍ଵା। ନିଜ ଜନ୍ମଦିନରେ କ୍ରିକେଟ୍ ପ୍ରେମୀଙ୍କୁ ଭେଟି ଦେଲେ ଶତକ। ବିରାଟ କୋହଲିଙ୍କ ରେକର୍ଡ ୪୯ତମ ଶତକ ଓ ଶ୍ରେୟସ ଆୟରଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୨୬ ରନ କରିଛି। ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବା ପାଇଁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୨୭ ରନର ବିଜୟ ଲକ୍ଷ୍ୟ ରହିଛି। ବିରାଟ କୋହଲି ୧୦୧ ରନ ଅପରାଜିତ ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୭୭ ରନ କରିଛନ୍ତି। ଅଧିନାୟକ ରୋହିତ ଶର୍ମା ୪୦ ରନ ଓ ରବୀନ୍ଦ୍ର ଜାଡ଼େଜା ୨୯ ରନର ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଅଧିନାୟକ ରୋହିତ ଶର୍ମା ଦମଦାର ଆରମ୍ଭ ଦେଇଥିଲେ। ରୋହିତ ପ୍ରଥମ ଓଭରରୁ ଟି-୨୦ ଶୈଳୀରେ ବ୍ୟାଟିଂ କରି ରନବର୍ଷା କରିଥିଲେ। ଫଳରେ ଭାରତ ପ୍ରଥମ ୫ ଓଭରରେ ୬୦ ରନ ସଂଗ୍ରହ କରିଥିଲା। ତେବେ ରୋହିତ ଆହୁରି ବଡ଼ ସଟ୍ ଖେଳିବା ଚକ୍କରରେ କାଗିସୋ ରାବଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ସେ ମାତ୍ର ୨୪ ବଲ୍ରୁ ୬ ଚୌକା ଓ ୨ ଛକା ସହ ୪୦ ରନ କରିଥିଲେ। ଦୁଇ ଓପନର ପ୍ରଥମ ଓ୍ଵିକେଟ୍ରେ ୬୨ ରନ ଯୋଡ଼ିଥିଲେ। ଏହା ପରେ ଶୁଭମନ ଗିଲ୍ ୨୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ଉଭୟ ସଂଯମତାର ସହ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ରେ ୧୩୪ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ଶ୍ରେୟସ ୭୭ ରନର ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥିରେ ୭ ଚୌକା ଓ ୨ ଛକା ସାମିଲ୍। ଲୋକେଶ ରାହୁଲ(୭) କ୍ରିଜରେ ତିଷ୍ଠି ପାରି ନ ଥିଲେ। ଅନ୍ୟପଟେ କୋହଲି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ୧୪ ବଲ୍ରୁ ୫ ଚୌକା ସହ ୨୨ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ବିରାଟ କୋହଲି ସତକର୍ତାର ସହ ବ୍ୟାଟିଂ କରି ଦିନିକିଆ କ୍ରିକେଟ୍ରେ ଇତିହାସ ରଚିଛନ୍ତି। ସେ ୧୧୯ ବଲ୍ରେ ବହୁ ପ୍ରତୀକ୍ଷିତ ୪୯ତମ ଶତକ ପୂରଣ କରିଛନ୍ତି। ଏହା ସହିତ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ଶତକହାସଲକାରୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଶେଷ ଓଭରରେ ରବୀନ୍ଦ୍ର ଜାଡ଼େଜା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୧୫ ବଲ୍ରୁ ୨୯ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୨୬ ରନ କରିଛି। ବିରାଟ କୋହଲି ୧୨୧ ବଲ୍ରୁ ୧୦ ଚୌକା ସହ ୧୦୧ ରନର ଶତକୀୟ ଇନିଂସ ସହ ଅପରାଜିତ ଅଛନ୍ତି।
ବୋଲିଂରେ କେଶବ ମହାରାଜ ଶାଣିତ ବୋଲିଂ କରି ୧୦ ଓଭରରେ ମାତ୍ର ୩୦ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି। ସେହିପରି କାଗିସୋ ରାବଡ଼ା ମଧ୍ୟ ୧୦ ଓଭରରେ ୪୮ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ତବରିଜ ସମ୍ସି, ମାର୍କୋ ଜନସେନ ଓ ଲୁଙ୍ଗି ଏନଗିଡି ଗୋଟିଏ ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।