ବିଶ୍ୱକପ୍ ୨୦୨୩ : ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ
ଲକ୍ଷ୍ନୌ : ଆଇସିସି ବିଶ୍ୱକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟର ୧୪ ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା । ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବାରୁ ଅଷ୍ଟ୍ରେଲିଆ ବିଜୟ ଖାତା ଖୋଲିବାକୁ ବ୍ୟାକୁଳ । ସେମି ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଶେଷ ୭ଟି ଲିଗ୍ ମ୍ୟାଚ୍ରୁ ଅଷ୍ଟ୍ରେଲିଆକୁ ଅତି କମ୍ରେ ୬ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ସେପଟେ ଆହତ ଜର୍ଜରିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ୫ଥର ଚାମ୍ପିଅନ୍ ହୋଇସାରିଥିବା ଅଷ୍ଟ୍ରେଲିଆ ପାଇଁ ବଡ଼ ସୁଯୋଗ ନେଇ ଆସିଛି । ଶ୍ରୀଲଙ୍କା ମଧ୍ୟ ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହୋଇଛି । ମାତ୍ର ଉଭୟ ମ୍ୟାଚ୍ରେ ଦଳ କଡ଼ା ଟକ୍କର ଦେଇଛି । ଅଷ୍ଟ୍ରେଲିଆକୁ ସହଜରେ ଜିତିବାକୁ ଶ୍ରୀଲଙ୍କା ସୁଯୋଗ ଦେବ ନାହିଁ । ଦଳର ବ୍ୟାଟିଂ ବିଭାଗ ସୁଦୃଢ ରହିଛି । କୁଶଲ ମେଣ୍ଡିସ ଓ ସଦିରା ସମରବିକ୍ରମା ପାକିସ୍ତାନ ବିପକ୍ଷରେ ଶତକ ଅର୍ଜନ କରିଛନ୍ତି । ସେହିପରି ପଥୁମ ନିଶଙ୍କା ଓ ଚରିଥ ଆଶାଲଙ୍କା ଚମତ୍କାର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗକୁ ନେଇ ସମସ୍ୟା ରହିଛି । ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମିରାଙ୍କ ଭଳି ଷ୍ଟାର ବୋଲରମାନେ ଆହତ ଥିବାରୁ ଶ୍ରୀଲଙ୍କାର ବୋଲିଂ ବିଭାଗ ଦୁର୍ବଳ ରହିଛି ।
ଅଷ୍ଟ୍ରେଲିଆର ବ୍ୟାଟରମାନେ ଏପର୍ଯ୍ୟନ୍ତ ବ୍ୟାଟିଂ ଚମକ ଦେଖାଇ ନାହାନ୍ତି । କେବଳ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅର୍ଦ୍ଧଶତକ ଅର୍ଜନ କରିପାରି ନାହାନ୍ତି । ୨ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ୧୮.୮୦ ହାରରେ ରନ୍ ସଂଗ୍ରହ କରିଛି । ଉଭୟ ମ୍ୟାଚ୍ରେ ଦଳ ୨୦୦ ଅତିକ୍ରମ କରିବାରେ ବିଫଳ ହୋଇଛି । ଅଷ୍ଟ୍ରେଲିଆ ଆଜି ଏକାଦଶ ଅପରିବର୍ତ୍ତିତ ରଖିବା ନିଶ୍ଚିତ । ଜୋସ୍ ଇଂଲିଶ ୱିକେଟ କିପର ଦାୟିତ୍ୱ ତୁଲାଇବେ । ମାର୍କସ ଷ୍ଟଇନିସ୍ ମଧ୍ୟ ଏକାଦଶରେ ସ୍ଥାନ ବଜାୟ ରଖିବେ ।
ସେପଟେ ଡାସୁନ ଶଣକା ଆହତ ହୋଇ ବିଶ୍ୱକପ୍ରୁ ବାଦ ପଡ଼ି ସାରିଛନ୍ତି । ତାଙ୍କ ସ୍ଥାନରେ ପେସ୍ ବୋଲର ଚାମିକା କରୁଣାରତ୍ନେଙ୍କୁ ସାମିଲ କରାଯାଇଛି । ସେ ଆଜିର ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି । ଶଣକାଙ୍କ ଅନୁପସ୍ଥିତିରେ କୁଶଲ ମେଣ୍ଡିସ୍ ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ । ଯୁବ ପେସ୍ ବୋଲର ମଥିଶା ପତିରଣା ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କ ଖେଳିବା ନେଇ ଆଶଙ୍କା ରହିଛି । ଫଳରେ ଦିଲସାନ ମଦୁଶଙ୍କା, ଚାମିକା ଓ କାସୁନ ରଜିଥା ପେସ ବିଭାଗ ସମ୍ଭାଳିବେ। ଏକାନ୍ନା ଷ୍ଟାଡିୟମ୍ର ପିଚ୍ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତିଥିଲା । ମାତ୍ର ପିଚ୍ ପେସ୍ ବୋଲରଙ୍କୁ ବେଶ୍ ସହାୟତା ପ୍ରଦାନ କରିଥିଲା । ବିଶେଷ କରି ଦ୍ୱିତୀୟ ଭାଗରେ ପିଚ୍ରୁ ଅତିରିକ୍ତ ବାଉନ୍ସ ଓ ସୁଇଂ ମିଳିଥିଲା । କାଗିସୋ ରାବାଡା ପିଚ୍ର ଭରପୂର ଫାଇଦା ଉଠାଇ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଟସ୍ ବିଜୟୀ ଦଳ ଦ୍ୱିତୀୟ ଭାଗରେ ବୋଲିଂ କରିବାକୁ ପସନ୍ଦ କରିବେ ।
୧୯୯୬ ବିଶ୍ୱକପ୍ ଫାଇନାଲ୍ରେ ଶ୍ରୀଲଙ୍କା ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହାପରେ ଉଭୟ ଦଳ ବିଶ୍ୱକପ୍ରେ ପରସ୍ପରକୁ ୭ଥର ଭେଟି ସାରିଛନ୍ତି । ପ୍ରତ୍ୟେକ ଥର ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ଙ୍ଖ ଆସନ୍ତାକାଲି ଡେଭିଡ ୱାର୍ଣ୍ଣର ଓ ଧନଞ୍ଜୟ ଡି ସିଲଭାଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଧନଞ୍ଜୟ ଦିନିକିଆରେ ୱାର୍ଣ୍ଣରଙ୍କୁ ୪ଥର ଆଉଟ୍ କରିସାରିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚ୍ରେ ୧୪ଟିରୁ ୮ଟି କ୍ୟାଚ୍ ହାତଛଡ଼ା କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ୬ଟି କ୍ୟାଚ୍ ହାତଛଡ଼ା କରିଥିଲା ।