ବିଶ୍ୱକପ୍ ୨୦୨୩ : ଆଜି ହାଇଭୋଲ୍ଟେଜ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମୁକାବିଲା
ପୁଣେ : ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆଜି ହାଇଭୋଲ୍ଟେଜ୍ ମ୍ୟାଚ। ପୁଣେ ଷ୍ଟାଡିୟମ୍ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୨ ତମ ମ୍ୟାଚ୍ । ଏଥିରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ । ବୁଧବାର ଅପରାହ୍ନ ୨ଟାରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟିମ୍।
ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ଟିମ୍ ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୧୦ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସେମି ରାସ୍ତାରେ ଅଗ୍ରସର ହେବାକୁ ଟିମ୍ ଉଦ୍ୟମ କରିବ । ସେପଟେ ନ୍ୟୁଜିଲାଣ୍ଡ ଟିମ୍ ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ସେଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ନ୍ୟୁଜିଲାଣ୍ଡ ଟିମ୍ ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ତୃତୀୟ ସ୍ଥାନରେ ରହିଛି ।
ତେବେ ଉଭୟ ଟିମ୍ ଦମ୍ଦାର ଫର୍ମରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମ୍ୟାଚ୍ ବେଶେ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୁଳ । କଠିନ୍ ପିଚ୍ ଏବଂ ଛୋଟ ବାଉଣ୍ଡାରୀ ହୋଇଥିବାରୁ ବିଶାଳ ସ୍କୋର ଏକ ପ୍ରକାର ନିଶ୍ଚିତ ।
ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ : ଓ୍ୱିଲ୍ ୟଙ୍ଗ, ଡେଭନ୍ କନଓ୍ୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ୍, ଟମ୍ ଲାଥମ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଜିମ୍ମି ନୀଶମ୍, ମିଚେଲ୍ ସଣ୍ଟନର, ମାଟ୍ ହେନରୀ, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ : କ୍ୱିଣ୍ଟନ ଡି କକ୍, ତେମ୍ବା ବଭୁମା(ଅଧିନାୟକ), ରାଶି ଭାନ୍ ଡର୍ ଡୁସେନ୍, ଆଡେମ୍ ମାରକ୍ରମ, ହେରରିକ କ୍ଲାସେନ୍, ଡେଭିଡ୍ ମିଲର, ମାର୍କୋ ଜାନସନେ, ଗୋରଲ୍ଡ କୋଏଜି, କେଶବ ମହାରାଜ, କାଗିସୋ ରାବାଡ଼ା, ତାବ୍ରେଜ୍ ସାମସି ।