ବିଶ୍ବକପ-୨୦୨୩ : ଆଜି ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମୁକାବିଲା
ଅହମ୍ମଦାବାଦ : ବିଶ୍ବକପ-୨୦୨୩ରେ ଆଜି ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍ ।ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଉଭୟଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ଅହମ୍ମଦାବାଦ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଡ୍ୟୁ ଫ୍ୟାକ୍ଟର ସମ୍ଭାବନା ନଥିବାରୁ ଟସ୍ ବିଜୟୀ ଦଳ ବ୍ୟାଟିଂ କରିବା ଏକପ୍ରକାର ନିଶ୍ଚିତ । ଆଫଗାନିସ୍ତାନର ସ୍ପିନରମାନେ ଏହି ପିଚ୍ର ଫାଇଦା ଉଠାଇ ପାରିବେ ।
ସାଉଥ୍ ଆଫ୍ରିକା ପୂର୍ବରୁ ସେମି ଫାଇନାଲରେ ପ୍ରବେଶ କରିଛି । ତେଣୁ ଏହି ମ୍ୟାଚ୍ ବାଭୁମା ବାହିନୀ ପାଇଁ ଏତେ ଗୁରୁତ୍ବପୂର୍ଣ୍ଣ ରହିବ ନାହିଁ । ସେହିପରି ଅଫଗାନିସ୍ତାନ ସେମି ଫାଇନାଲରେ ପ୍ରବେଶ କରିବାକୁ ହେଲେ ଏକ ବଡ଼ ଚତ୍ମକାର କରିବାକୁ ହେବ । ଦକ୍ଷିଣ ଆଫ୍ରିକାକୁ ଦଳ ୪୩୮ ରନ ବ୍ୟବଧାନରେ ପରାସ୍ତ କରିବାକୁ ପଡ଼ିବ । ଯାହା ସମ୍ପୂର୍ଣ୍ଣ ଅସମ୍ଭବ ।
ଦକ୍ଷିଣ ଆଫ୍ରିକା ଏଥର ବିଶ୍ୱକପ୍ରେ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇଛି। କେବଳ ଭାରତ ଓ ନେଦରଲାଣ୍ଡ୍ସକୁ ଛାଡ଼ିଦେଲେ ଅନ୍ୟ ସବୁ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସଂଗ୍ରହ କରିଛି । ତେଣୁ ଶୁକ୍ରବାର ମଧ୍ୟ ଆଫଗାନିସ୍ତାନ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିବାକୁ ଦଳ ପ୍ରସ୍ତୁତ । ଅନ୍ୟପକ୍ଷରେ ୨୦୧୯ରେ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରି ନଥିବା ଆଫଗାନିସ୍ତାନ ଏଥର ୪ଟି ମ୍ୟାଚ୍ ଜିତିଛି । ଗତ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମଧ୍ୟ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ମାତ୍ର ଗ୍ଲେନ ମ୍ୟାକ୍ସୱେଲ୍ ଅପରାଜିତ ୨୦୧ ରନର ଇନିଂସ ଖେଳି ବିଜୟ ଛଡ଼ାଇ ନେଇଥିଲେ । ଆଫଗାନିସ୍ତାନ ଏହି ପରାଜୟ ପରେ ମନୋବଳ ହରାଇ ବସିଛି । ମାତ୍ର ବୋଲିଂ ବିଭାଗ କିଛି ଚମତ୍କାର କରିବା ଆଶା କରାଯାଉଛି । ମୋଟ୍ ଉପରେ ଦେଖିବାକୁ ଗଲେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବ୍ୟାଟର ଓ ଆଫଗାନିସ୍ତାନ ସ୍ପିନରଙ୍କ ମଧ୍ୟରେ ଅସଲ ଲଢେଇ ହେବ ।
ଏବେ ଟେବୁଲ୍ରେ ପାକିସ୍ତାନ ସହ ଆଫଗାନିସ୍ତାନ ସମାନ ପଏଣ୍ଟରେ ଅଛି। ନ୍ୟୁଜିଲାଣ୍ଡ ଶେଷ ମ୍ୟାଚ୍ ଜିତି ୧୦ ପଏଣ୍ଟରେ ପହଞ୍ଚିସାରିଛି। ତେଣୁ ଆଫଗାନିସ୍ତାନକୁ ବଡ଼ ବ୍ୟବଧାନ ବିଜୟ ହିଁ ସେମିଫାଇନାଲ୍ରେ ପହଞ୍ଚାଇପାରିବ। ତଥାପି ବର୍ତ୍ତମାନସୁଦ୍ଧା ଆଫଗାନିସ୍ତାନ ଖେଳାଳିମାନେ ଦେଇଥିବା ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି। ୧୧ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ କ୍ରମ ରହିବା ସହ ବୋଲରମାନେ ମଧ୍ୟ ଦମ୍ଦାର ପ୍ରଦର୍ଶନ ଦେଇଛନ୍ତି। ଯାହାଫଳରେ ଶ୍ରୀଲଙ୍କା, ପାକିସ୍ତାନ, ଇଂଲଣ୍ଡ ଭଳି ପୂର୍ବ ବିଜେତାଙ୍କୁ ଦଳ ପରାଜିତ କରିପାରିଥିଲା। ଏବେ ଦକ୍ଷିଣ ଆଫ୍ରିକାକୁ ହରାଇବା ପାଇଁ ଅଧିନାୟକ ହସମତୁଲ୍ଲା ସାହିଦି ପ୍ରତିପକ୍ଷର ଦୁର୍ବଳତାଗୁଡ଼ିକୁ ଯାଞ୍ଚ କରିସାରିଛନ୍ତି। ଯଦିଓ ସ୍ପିନ୍ ଆଫଗାନିସ୍ତାନର ବଡ଼ ଅସ୍ତ୍ର, କିନ୍ତୁ ଦ୍ରୁତ ବୋଲରଙ୍କ ଠାରୁ ମଧ୍ୟ ସେଭଳି ପ୍ରଦର୍ଶନ ସେ ଆଶା ରଖିଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ରନ୍ ସଂଗ୍ରହକାରୀ କ୍ବିଣ୍ଟନ ଡି’କକ୍ ଏବେ ଜବରଦସ୍ତ ଲୟରେ ଥିବାରୁ ଆଫଗାନ୍ ବୋଲରଙ୍କୁ ଧୂଲେଇ କରିବାର କୌଣସି ସୁଯୋଗ ହାତଛଡ଼ା କରିବେନି। ସବୁଠୁ ବଡ଼ ଚିନ୍ତା ହେଉଛି ଅଧିନାୟକ ତେମ୍ବା ବଭୂମା ଏପର୍ଯ୍ୟନ୍ତ ବଡ଼ େସ୍କାର କରିବାରେ ବିଫଳ ହୋଇଛନ୍ତି। ଶ୍ରେଷ୍ଠ ଫିନିସର୍ ଡେଭିଡ୍ ମିଲର ଏବଂ ଅଲରାଉଣ୍ଡର ମାର୍କୋ ୟାନସେନ୍ଙ୍କ ପାଇଁ ଏହା ସେମିଫାଇନାଲ୍ ପୂର୍ବ ଅଭ୍ୟାସ ହୋଇଥିବାରୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: କ୍ବିଣ୍ଟନ ଡି’କକ୍, ତେମ୍ବା ବଭୂମା, ରାସି ଭାନ ଡର ଡସନ, ଐଡେନ ମାରକ୍ରମ, ହେନରିକ୍ କ୍ଲାସେଁ, ଡେଭିଡ୍ ମିଲର, ମାର୍କୋ ୟାନସେନ, କେଶବ ମହାରାଜ, ତାବ୍ରୈଜ ସାମ୍ସି, କାଗିସୋ ରବାଡ଼ା, ଲୁଙ୍ଗି ଏନ୍ଗିଡି।
ସମ୍ଭାବ୍ୟ ଆଫଗାନିସ୍ତାନ ଦଳ: ରହମାନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବି, ଇକ୍ରାମ ଅଲିଖିଲ, ରସିଦ ଖାନ, ମୁଜୀବ ଉର ରହମାନ, ନୂର ଅହମଦ/ଫଜଲହକ ଫାରୁକି, ନବୀନ ଉଲ ହକ।