ବିଶ୍ବକପ୍ ୨୦୨୩ : କୋହଲି ଓ ରାହୁଲଙ୍କ ଲଢୁଆ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଲା ଭାରତ
ଚେନ୍ନାଇ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ବିକେଟରେ ଏକ ଲଢୁଆ ବିଜୟ ସହ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ବୋଲରଙ୍କ ଶାଣିତ ବୋଲିଂ ଓ କେଏଲ ରାହୁଲଙ୍କ ଅପରାଜିତ ଏବଂ କୋହଲିଙ୍କ ଚତ୍ମକାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍ରେ ହରାଇ ବିଜୟରୁ ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ କୋହଲି ଓ ରାହୁଲ ଚତୁର୍ଥ ଓ୍ଵିକେଟ୍ରେ ଶତକୀୟ ଭାଗିଦାରୀ ଯୋଡ଼ି ଅଷ୍ଟ୍ରେଲିଆ ହାତରୁ ବିଜୟ ଛଡ଼ାଇ ଆଣି ଭାରତକୁ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କ ୪୬, ଡେଭିଡ ଓ୍ଵାର୍ଣ୍ଣରଙ୍କ ୪୧ ଓ ମିଚେଲ୍ ଷ୍ଟାର୍କଙ୍କ ୨୮ ରନ ବଳରେ ୪୯.୩ ଓଭରରେ ୧୯୯ ରନ କରିଥିଲା। ଜବାବରେ ଭାରତ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୫ ରନ ଓ କେଏଲ ରାହୁଲଙ୍କ ଅପରାଜିତ ୯୭ ରନର ଦମଦାର ଇନିଂସ ବଳରେ ୪୧.୨ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପ୍ରାରମ୍ଭିକ ସଫଳତା ପାଇଥିଲେ ହେଁ ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ ହେବାକୁ ପଡ଼ିଛି। ଜୋସ୍ ହେଜେଲଉଡ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ୩ଟି ଓ୍ଵିକେଟ୍ ନେଇ ବିଜୟରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଦଳୀୟ ସ୍କୋର ୫ ରନରେ ମିଚେଲ୍ ମାର୍ଶ(୦) ଆଉଟ୍ ହୋଇଥିଲେ। ଏହା ପରେ ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ ସତର୍କତାର ସହ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୯ ରନ ଯୋଡ଼ିଥିଲେ। କୁଲଦୀପ ଯାଦବ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଓ୍ଵାର୍ଣ୍ଣର ୫୨ ବଲରୁ ୬ ଚୌକା ସହ ୪୧ ରନ କରିଥିଲେ। କ୍ରିଜରେ ଜମିଥିବା ଷ୍ଟିଭ୍ ସ୍ମିଥ(୪୬)ଙ୍କୁ ବୋଲ୍ଡ କରି ରବୀନ୍ଦ୍ର ଜାଡ଼େଜା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଦେଇଛନ୍ତି। ଏହା ପରେ କଙ୍ଗାରୁ ଦଳ ଭାରତର ୩ ସ୍ପିନର ଜାଡ଼େଜା, ଅଶ୍ଵିନ ଓ କୁଲଦୀପଙ୍କ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ମଧ୍ୟକ୍ରମରେ ମାର୍ନସ ଲାବୁସେନ(୨୭) ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍(୧୫) ପାଭିଲିୟନ ଫେରିଥିଲେ। ଆଲେକ୍ସ କେରୀ ଖାତା ଖୋଲି ପାରିନ ଥିଲେ। କ୍ୟାମେରୁନ ଗ୍ରୀନ(୮) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଧିନାୟକ ପାଟ୍ କମିନ୍ସ ୧୫ ରନ କରି ପାଭିଲିୟନ ଫେରିଥିଲେ। ଆଡମ ଜାମ୍ପା(୬) ଆଉଟ୍ ହୋଇଥିଲେ। ତେବେ ମିଚେଲ୍ ଷ୍ଟାର୍କଙ୍କ ଧୈର୍ଯ୍ୟପୂର୍ଣ୍ଣ ୨୮ ରନ ରନ ବଳରେ ଶେଷରେ ଅଷ୍ଟ୍ରେଲିଆ ୨୦୦ ରନର ନିକଟତର ହୋଇ ପାରିଛି। ଦଳ ୪୯.୩ ଓଭରରେ ୧୯୯ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୧୦ ଓଭରରେ ୩୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ଯଶପ୍ରୀତ ବୁମରା ୧୦ ଓଭରରେ ୩୪ ରନ ବ୍ୟୟ କରି ୨ଟି ଓ୍ଵିକେଟ୍, କୁଲଦୀପ ଯାଦବ ୧୦ ଓଭରରେ ୪୨ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ମଧ୍ୟ ମାପଚୁପ ବୋଲିଂ କରି ୩୫ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି।
୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାତ୍ର ୨ ରନ ସ୍କୋରରେ ଭାରତ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଦୁଇ ଓପନର ଇଶାନ କିଷନ, ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଖାତା ମଧ୍ୟ ଖୋଲି ପାରି ନ ଥିଲେ। ଭାରତ ଉପରେ ପ୍ରବଳ ଚାପ ପଡ଼ିଥିଲା। ତେବେ ରୋହିତ ବାହିନୀ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ। ଦୁଇ ବ୍ୟାଟର ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଦୁଇ ବ୍ୟାଟର ନିଜ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ନିଜର ନିଜର ଅର୍ଦ୍ଧଶତକ ପୂରଣ କରି ଦଳର ସ୍ଥିତି ମଜବୁତ କରିବା ସହ ବିଜୟ ସୁନିଶ୍ଚିତ କରିଥିଲେ। ତେବେ ୩୭.୪ ଓଭରରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବିରାଟ କୋହଲି ବ୍ୟକ୍ତିଗତ ୮୫ ରନ କରି ଆଉଟ୍ ହୋଇଥିଲେ। ଏଥିରେ ୬ ଚୌକା ସାମିଲ୍। ଏହା ସହିତ ସେ ରାହୁଲଙ୍କ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୬୫ ରନ ଯୋଡ଼ିଥିଲେ। ଏହା ପରେ ବାକି ଔପଚାରିକତା ପୂରଣ କରିଥିଲେ ରାହୁଲ ଓ ପାଣ୍ଡ୍ୟା। ରାହୁଲ ୧୧୫ ବଲ୍ରୁ ୮ ଚୌକା ଓ ୨ ଛକା ସହ ୯୭ ରନ କରି ଦଳକୁ ବିଜୟୀ କରାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ କରି କ୍ରିଜରେ ଥିଲେ। ଏଥିସହ ଭାରତ ୪୧.୨ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉଡ ୩୮ ରନ ଦେଇ ୩ଟି ସଫଳତା ପାଇଛନ୍ତି। ମିଚେଲ୍ ଷ୍ଟାର୍କଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।