ବିଶ୍ବକପ ୨୦୨୩ : ବୋଲରଙ୍କ ପରେ ରୋହିତଙ୍କ ଧୂଆଁଧାର ବ୍ୟାଟିଂ, ଭାରତର ଦମଦାର୍ ବିଜୟ
ଅହମଦାବାଦ : ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି । ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ୫୦ ଏବଂ ମହମ୍ମଦ ରିଜଓ୍ଵାନଙ୍କ ୪୯ ରନ ବଳରେ ୪୨.୫ ଓଭରରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୬ ରନ ସହ ଶ୍ରେୟସ ଆୟରଙ୍କ ଅପରାଜିତ ୫୩ ରନର ଉପଯୋଗୀ ବ୍ୟାଟିଂ ବଳରେ ଭାରତ ୩ ଓ୍ଵିକେଟ୍ ହରାଇ ୩୦.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଛନ୍ତି।
୧୯୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଡେଙ୍ଗୁରୁ ସୁସ୍ଥ ହୋଇ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିବା ଶୁଭମନ ଗିଲ୍ ୧୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଓ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। କୋହଲି ୧୬ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନ ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ରୋହିତ ଶ୍ରେୟସ ଆୟରଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ।
ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ରୋହିତ ଆଉଟ୍ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା। ରୋହିତ ମାତ୍ର ୬୩ ବଲ୍ରୁ ୬ ଚୌକା ଓ ୬ ଛକା ସହ ୮୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ବିଜୟର ଔପଚାରିକତା ପୂରଣ କରିଥିଲେ ଶ୍ରେୟସ ଆୟର ଓ କେଏଲ ରାହୁଲ। ଶ୍ରେୟସ ସଂଯମତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏଥିସହ ଭାରତ ୩୦.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶ୍ରେୟସ ୫୩ ରନ ଓ କେଏଲ ରାହୁଲ୧୯ ରନ କରି ଅପରାଜିତ ଅଛନ୍ତି। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ଓ ହସନ ଅଲ୍ଲୀ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରି ଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ । ବାବର ୫୦ ରନ କରିଥିବାବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।