ଏସ୍ଏମ୍ସି କାରଖାନାରେ ଅଘଟଣ, କ୍ରେନ୍ ସିଲିଂ ଛିଣ୍ଡି ଶ୍ରମିକ ମୃତ
ଝାରସୁଗୁଡ଼ା : ଝାରସୁଗୁଡ଼ା ବଡ଼ମାଲରେ ଠାରେ ଥିବା ଏସ୍ଏମ୍ସି କାରଖାନାରେ ଅଘଟଣ। କ୍ରେନ୍ ସିଲିଂ ଛିଣ୍ଡି ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଙ୍କ ହେଲେ ବନମାଳୀ ବୋଇପୋଇ(୨୦)। ତାଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଅଞ୍ଚଳରେ ବୋଲି ବଡ଼ମାଲ ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଶ୍ରମିକଙ୍କ ମୃତ୍ୟୁପରେ କାରଖାନା ପକ୍ଷରୁ ତୁରନ୍ତ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇ ମୃତଦେହ ତାଙ୍କ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଶ୍ରମିକ ଅଶାନ୍ତିର ଆଶଙ୍କାକୁ ଏଡ଼ାଇବା ପାଇଁ କମ୍ପାନି ମୃତକଙ୍କ ପରିବାରୁ ତ୍ବରିତ୍ କ୍ଷତିପୂରଣ ବାବଦ ୧୦ ଲକ୍ଷ ଟଙ୍କା ଓ ଶବଦାହ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଲକ୍ଷେ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ମାଲ ପୁଲିସ କ୍ରେନ୍ ଚାଳକ ଓ ନିରୀକ୍ଷକଙ୍କୁ ଗିରଫ କରାଯାଇଛି।
ସୂଚନା ଯେ, ବୁଧବାର ଭୋର ସାଢ଼େ ୪ ଟାରେ କାରଖାନାର ଟିଏମ୍ଟି ରୋଲିଂ ମିଲ ଡିଭିଜନ୍ରେ କାମ କରୁଥିବା ଏହି ଶ୍ରମିକ ଉପରେ କ୍ରେନ୍ର ଲୁହା ଛିଣ୍ଡି ପଡ଼ିବାରୁ ତାଙ୍କ ଛାତି ଓ ଅଣ୍ଟା ଉପରେ ତାହା ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରକ୍ଷା ବ୍ୟବସ୍ଥାର ଅଭାବ ଓ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବଡ଼ମାଳ ଥାନାରେ ୧୮୨ ନମ୍ବର କେସ୍ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଅଧିକାରୀ ମଧ୍ୟ କାରଖାନାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।