ମହିଳା ବିଶ୍ୱକପ : ଭାରତକୁ ୪ ୱିକେଟରେ ହରାଇଲା ଇଂଲଣ୍ଡ
ମାଉଂଟ ମାଙ୍ଗନୁଇ: ଚଳିତ ଆଇସିସି ମହିଳା କ୍ରିକେଟ ଦିନିକିଆ ବିଶ୍ୱକପର ୧୫ ତମ ଲିଗ ମ୍ୟାଚରେ ଇଂଲଣ୍ଡ ଠୁ ହାରିଲା ଭାରତ । ମିତାଲି ରାଜଙ୍କ ଟିମ୍? ଇଣ୍ଡିଆ ୪ ୱିକେଟରେ ଇଂଲଣ୍ଡ ଠାରୁ ହାରିଛି । ଅଭିଜ୍ଞ ଝୁଲଣ ଗୋସ୍ୱାମୀଙ୍କ ରେକର୍ଡ ସତ୍ୱେ ଭାରତକୁ ହାରିବାକୁ ପଡ଼ିଛି । ଇଂଲଣ୍ଡ ଚଳିତ ବିଶ୍ୱକପରେ ଲଗାତର ୩ଟି ମ୍ୟାଚ ହାରିଥିଲା । କିନ୍ତୁ ଭାରତ ବିପକ୍ଷରେ ବିଜୟ ହାସଲ କରି ଇଂଲଣ୍ଡ ଲୟକୁ ଫେରିବାର ସଙ୍କେତ ଦେଇଛି ।
ଭାରତୀୟ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଇଂଲଣ୍ଡ ୧୧୨ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି । ଇଂଲିଶ ଟିମ୍ର ଅଧିନାୟକ ହେଥର ନାଇଟ ଅପରାଜିତ ୫୩ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନାଟ ସ୍କିଭର ୪୫, ଆମୀ ଜନ୍ସ ୧୦, ସୋଫିଆ ୧୭ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ମେଘନା ସିଂହ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଝୁଲଣ ଗୋସ୍ୱାମୀ, ରାଜେଶ୍ୱରୀ ଗାଏକ୍ୱାଡ ଓ ପୂଜା ଭସ୍ତ୍ରକର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି । ଝୁଲଣ ଆଜି ଇଂଲଣ୍ଡ ଓପନର ତାମୀ ବେମଂଟ(୧)ଙ୍କୁ ଆଉଟ କରିବା ପରେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ପ୍ରଥମ ମହିଳା ଭାବେ ମହିଳା ଦିନିକଆରେ ୨୫୦ ୱିକେଟ ନେବାର କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଝୁଲଣ ବିଶ୍ୱର ପ୍ରଥମ ମହିଳା, ଯିଏ ଦିନିକିଆରେ ୨୦୦ରୁ ଅଧିକ ୱିକେଟ ନେଇଛନ୍ତି । ତାଙ୍କ ପଛକୁ ଅଷ୍ଟ୍ରେଲିଆର କ୍ୟାଥରୟନ ଫିଟପାଟ୍ରିକ ୧୮୦, ୱେଷ୍ଟଇଣ୍ଡିଜର ଅନିସା ମହମ୍ମଦ ୧୮୦, ଦକ୍ଷିଣ ଆଫ୍ରିକାର ଶବନିମ ଇସମାଇଲ ୧୬୮ ଓ ଇଂଲଣ୍ଡର କ୍ୟାଥେରିନ ବ୍ରଂଟ ୧୬୪ ୱିକେଟ ନେଇଛନ୍ତି । ତେବେ ଝୁଲଣଙ୍କ ରେକର୍ଡ ସତ୍ୱେ ଭାରତକୁ ଆଜି ଇଂଲଣ୍ଡ ଠାରୁ ୪ ୱିକେଟରେ ହାରିବାକୁ ପଡ଼ିଛି । ଆଜିର ମ୍ୟାଚ୍ରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରିଥିବା ଓପନର ସ୍ମୃତି ମନ୍ଧାନା ସର୍ବାଧିକ ୩୫ ରନ୍ କରିଥିବା ବେଳେ ରିଚା ଘୋଷ ୩୩, ହରମନପ୍ରୀତ ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଶେଷ ଭାଗରେ ଝୁଲଣ ଗୋସ୍ୱାମୀ ୨୦ ରନ୍ କରିବାରୁ ଭାରତ ୩୬.୨ ଓଭର୍ରେ ୧୩୪ ରନ୍ କରି ଅଲଆଉଟ ହୋଇଯାଇଥିଲା । ୧୩୫ ରନର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରି କି ଦଳ ୪ ରନ୍ରେ ଦୁଇଟି ୱିକେଟ ହରାଇଥିଲା । ହେଲେ ଅଧିନାୟକ ନାଇଟଙ୍କ ଅପରାଜିତ ୫୩ ଓ ୪ନଂରେ ବ୍ୟାଟିଂ କରିଥିବା ସ୍କିଭରଙ୍କ ୪୫ ରନ୍ ଭାରତର ସବୁ ଆଶରେ ପାଣି ପକାଇ ଦେଇଥିଲା । ଚଳିତ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ହରାଇଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା । ତୃତୀୟ ମ୍ୟାଚ୍ରେ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକତରଫା ବିଜୟ ହାସଲ କରିଥିଲା । ଆଜି ଦଳକୁ ପୁଣିଥରେ ହାରିବାକୁ ପଡ଼ିଛି ।