ମହିଳା ବିଶ୍ୱକପ : ଇଂଲଣ୍ଡକୁ ୭୧ ରନରେ ହରାଇ ବିଶ୍ୱ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ସରିଲା ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟ । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । ଏଥିରେ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଫଳରେ ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ ହେବ ସହ ଇତିହାସ ରଚିଛି ।
ମହିଳା ବିଶ୍ୱକପର ଫାଇନାଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଯାହା ବୁମେରାଂ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଥିଲା । ଆୟେଶା ହେଲୀଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଚେଲ ହାଏନସ ୬୮ ଓ ବେଥ୍ ମୁଲୀ ୬୨ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅନ୍ୟା ଶ୍ରୁବସୁଲେ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋଫି ଏକିଲଷ୍ଟୋନ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
୩୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ନାଟ୍ ସିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ । ସେ ଶତକ ପୂରଣ କରିଥିଲେ । ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସହଯୋଗ କରିନଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲେ । ନାଟ୍ ୧୪୮ ରନ୍ କରି ଅପରାଜେୟ ରହିଥିଲେ ।ଅନ୍ୟାମନଙ୍କ ମଧ୍ୟରେ ତମସିନ୍ ବିୟୁମୋଣ୍ଟ୍ ୨୭, ହେଦର ନାଇଟ୍ ୨୬ ଓ ସୋଫିଆ ଡଙ୍କଲୀ ୨୩ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ଦୁଇଟିଓ୍ୱିକେଟ୍ ନେଇଥିଲେ ।