ମହିଳା ଟି-୨୦ ବିଶ୍ବକପ୍ : ଭାରତକୁ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ପାକିସ୍ତାନ
କେପ୍ଟାଉନ: ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍ରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଜାରି ରହିଛି । କେପ୍ଟାଉନ୍ର ନ୍ୟୁଲାଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ବିପକ୍ଷରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଏହି ମ୍ୟାଚରେ ଭାରତକୁ ଅଧିନାୟିକା ବିସମା ମାରୁଫଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ଜିତିବାକୁ ୧୫୦ ରନର ଆବଶ୍ୟକ ରହିଛି ।
ଅଧିନାୟିକା ବିସମା ମାରୁଫ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୫୫ଟି ବଲ୍ ଖେଳି ୭ଟି ଚୌକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୮ ରନ୍ ଯୋଡ଼ିଥିଲେ। ଆୟେସା ନସୀମ ଅପରାଜିତ ୪୩ ରନ୍ କରିଥିଲେ। ସେହିପରି ସିଦ୍ରା ଅମୀନଙ୍କ ବ୍ୟାଟରୁ ୧୧ ରନ୍ ଅମଳ ହୋଇଥିଲା। ପାକିସ୍ତାନ ମାତ୍ର ୧୦ ରନ୍ରେ ପ୍ରଥମ ୱିକେଟ ହରାଇଥିଲା। ୪୨ ରନ୍ରେ ୨ୟ, ୪୩ ରନ୍ରେ ତୃତୀୟ ଓ ୬୮ ରନ୍ରେ ୪ର୍ଥ ୱିକେଟ୍ର ପତନ ଘଟିଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳୁଥିବା ଭାରତ ତରଫରୁ ଦୀପ୍ତି ଶର୍ମା ପ୍ରଥମ ୱିକେଟ୍ ନେଇଥିଲେ। ସେ ଜାଭିରା ଖାନ୍(୮ରନ୍)ଙ୍କୁ ଆଉଟ୍ କରିଥିଲେ। ଜାଭିରା ଖାନ୍ ୬ଟି ବଲ୍ ଖେଳି ୮ ରନ୍ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ମୁନିବା ଅଲୀ(୧୨ ରନ୍)ଙ୍କୁ ରାଧା ଯାଦବ ଆଉଟ୍ କରିଥିଲେ। ପୂରା ପାଳିରେ ରାଧା ଯାଦବ ୪ ଓଭର ବୋଲିଂ କରି ୨୧ ରନ୍ ଖର୍ଚ୍ଚ କରିଥିଲେ ଏବଂ ୨ଟି ୱିକେଟ୍ ନେଇଥିଲେ। ସେହିପରି ପୂଜା ବସ୍ତ୍ରାକରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।