ମହିଳା ଦିନିକିଆ ବିଶ୍ୱକପ : ଓ୍ୱେଷ୍ଟଇଣ୍ଡିଜକୁ ୩୧୮ ରନ୍ର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ବକପରେ ଶନିବାର ହାମିଲଟନରେ ଭାରତ-ୱେଷ୍ଟ ଇଣ୍ଡିଜ ମୁକାବିଲା ଜାରି ରହିଛି। ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି ଭାରତ । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଭାରତର ଦୁଇ ବ୍ୟାଟର ଶତକ ଲଗାଇଛନ୍ତି । ସ୍ମୃତି ମନ୍ଧାନା ଓ ହରମନପ୍ରିତ କୌର ସେଞ୍ଚୁରୀ ଲଗାଇଛନ୍ତି । ବିଶ୍ୱକପ ପୂର୍ବରୁ ଉଭୟ ଖେଳାଳି ନିଜ ଫର୍ମକୁ ନେଇ ଟାର୍ଗେଟରେ ଥିଲେ ।ଏବେ କିନ୍ତୁ ଉଭୟ ଶତକ ଲଗାଇ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଏହି ମୁକାବିଲାରେ ଭାରତ ୫୦ ଓଭରରେ ୩୧୭ ରନ୍ କରିଛି । ଯାହା ଭାରତର ବିଶ୍ୱକପରେ ସର୍ବାଧିକ ସ୍କୋର ।
ଶନିବାର ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତିଥିଲା ଭାରତ । ମ୍ୟାଚରେ ଶେଫାଳି ବର୍ମା ଖେଳୁନଥିଲେ । କିନ୍ତୁ ସ୍ମୃତି ଓ ୟାସ୍ତିକା ଭାଟିଆଙ୍କ ଯୋଡି ଦମଦାର ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୪୯ ରନର ପାର୍ଟନରସିପ୍ ହୋଇଥିଲା । ଏହାପରେ ସ୍ମୃତି ଏକାକି ପାଳି ସମ୍ଭାଳିଥିଲେ । ସେ ନିଜ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ଇଣ୍ଡିଜ ବୋଲରଙ୍କୁ ପ୍ରହାର କରି ସେ ଶତକ ଲଗାଇଥିଲେ । ୧୧୯ ବଲରୁ ସେ ମ୍ୟାଚରେ ୧୨୩ ରନ୍ କରିଥିଲେ । ଏହି ପାଳିରେ ୧୩ ଚଉକା ଓ ୨ ଛକା ରହିଥିଲା । ଏହା ସ୍ମୃତିଙ୍କ କ୍ୟାରିଅରର ପଞ୍ଚମ ଦିନିକିଆ ଶତକ ଅଟେ । ସେହିପରି ହରମନପ୍ରିତ ସିଂ ମଧ୍ୟ ଶତକ ଲଗାଇଥିଲେ । ସେ ୧୦୯ ରନ୍ କରିଥିଲେ । ଏଥିରେ ୧୦ ଚଉକା ଓ ୨ ଛକା ରହିଥିଲା । ଏହା ତାଙ୍କ କ୍ୟାରିଅରର ଚତୁର୍ଥ ଶତକ ଅଟେ । ଏହାସହ ସେ ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ସ୍ମୃତି ରହିଛନ୍ତି । ସୂଚନା ଯେ, ଚଳିତ ମହିଳା ବିଶ୍ବକପରେ ଭାରତର ଏହା ତୃତୀୟ ଲିଗ ମ୍ୟାଚ । ଏହା ପୂର୍ବରୁ ୨ଟି ମ୍ୟାଚରେ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ପରାଜୟ ହୋଇଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୧୦୭ ରନରେ ପରାଜୟ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୬୨ ରନରେ ପରାସ୍ତ ହୋଇଥିଲା ।