ମହିଳାଙ୍କୁ ହତ୍ୟା ମାମଲା : ଜେଲ ଗଲେ ସ୍ୱାମୀ ଓ ଶ୍ୱଶୁର
ରୂପ୍ସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ପତ୍ନୀ ହରପ୍ରିୟା ନାୟକ (୨୨)ଙ୍କୁ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ବିଜୟ ନାୟକ ଓ ଶ୍ୱଶୁର ଦାମୋଦର ନାୟକଙ୍କୁ ଶନିବାର ଗିରଫ କରିଛି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୮୦/୨୩) ରୁଜୁ ହୋଇ ଗିରଫ ସ୍ୱାମୀ ଓ ଶ୍ୱଶୁରଙ୍କୁ କୋର୍ଟଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି ।
ସୂଚନା ଯେ, ଗତ ୧୦ ତାରିଖ ରାତିରେ ବିଜୟଙ୍କ ଘରେ ସମସ୍ତେ ଖାଇ ସାରି ଶୋଇଥିଲେ । ୧୧ ତାରିଖ ଭୋର ମହିଳା ଜଣକ ଘରେ ବେକରେ ଶାଢ଼ୀ ବାନ୍ଧି ଫାଶୀ ହୋଇଥିବାର ପରିବାର ଲୋକେ ଦେଖିଥିଲେ । ଖବର ପାଇ ମୃତ ମହିଳାଙ୍କ ବାପଘର ଓ ସମ୍ପର୍କୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହରପ୍ରିୟାକୁ ସ୍ୱାମୀ, ଶ୍ୱଶୁର, ଯାଆ ଓ ଦେଢ଼ଶୁର ମିଶି ହତ୍ୟା କରିଥିବା ନେଇ ତାଙ୍କ ଭାଇ କିଶୋର କୁମାର ମନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ଓ ଏଏସ୍ଆଇ ପୁମା ଦେଇ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଥିଲେ । ମାଜିଷ୍ଟ୍ରେଟ ଭାବେ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ୧୨ ତାରିଖ ମୃତଦେହ ବ୍ୟବଚ୍ଛେଦ ହୋଇ ଗାଁ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ପ୍ରକାଶଥାଉକି, ଗତ ୨୦୧୮ ରେ ଏହି ଥାନା ଆଗୁରଗୋହିରା ଗ୍ରାମର ରାମଚନ୍ଦ୍ର ମନ୍ତ୍ରୀଙ୍କ ଏକ ମାତ୍ର କନ୍ୟା ହରପ୍ରିୟାଙ୍କ ସହ ବିଜୟଙ୍କର ବୈଦିକ ରୀତି ଅନୁଯାୟୀ ବିବାହ ହୋଇଥିଲା । ତାଙ୍କର ଜଣେ ୪ ବର୍ଷର ଶିଶୁକନ୍ୟା ଅଛି ।