ଅନ୍ଧବିଶ୍ୱାସର ସୀମା ଟପିଲେ ମହିଳା! ପୁତ୍ର ସନ୍ତାନ ଲୋଭରେ ନିଜ ମୁଣ୍ଡରେ ଫୋଡ଼ିଦେଲେ ଲୁହା କଣ୍ଟା, ଆଉ ତାପରେ…
ପେସାୱର୍ : ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏଭଳି ଏକ ଦୃଷ୍ଟାନ୍ତ ପାକିସ୍ତାନର ପେସାୱର୍ ସହରରେ ଦେଖିବାକୁ ମିଳିଛି ଯେଉଁଠାରେ ଜଣେ ଗର୍ଭବତୀ ମହିଳା ପୁତ୍ର ସନ୍ତାନ ଜନ୍ମ କରିବା ଲାଳସାରେ ନିଜ ମୁଣ୍ଡରେ ହିଁ ଏକ ଲୁହା କଣ୍ଟା ଫୋଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରୁ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।
ତେବେ, ମହିଳା ଜଣଙ୍କର ଆଗରୁ ମଧ୍ୟ ତିନୋଟି କନ୍ୟା ସନ୍ତାନ ରହିଛି। କିନ୍ତୁ, ପୁଅ ନ ଥିବାରୁ ତାଙ୍କ ସ୍ୱାମୀ ଅସନ୍ତୁଷ୍ଟ ରହୁଥିଲେ। ଏପରିକି ଏଥର ଯଦି ପୁଅ ନ ହୁଏ ତେବେ ସେ ଛାଡ଼ପତ୍ର ଦେବେ ବୋଲି ଧମକ ଦେଇଥିଲେ। ତେଣୁ, ମହିଳା ଜଣକ ଜଣେ ବାବାଙ୍କର ସାହାଯ୍ୟ ଲୋଡ଼ିଥିଲେ, ଯିଏକି ତାଙ୍କୁ ନିଜ ମୁଣ୍ଡରେ ଲୁହା କଣ୍ଟା ଫୋଡିଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି କହିଥିଲେ। ମହିଳା ଜଣକ ମଧ୍ୟ ଅନ୍ଧବିଶ୍ୱାସରେ ସମ୍ପୂର୍ଣ୍ଣ ଭାବରେ ବଶବର୍ତ୍ତୀ ହୋଇ ରହିଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଲେମାନଙ୍କ କହିବା ଅନୁଯାଇ ମହିଳା ଜଣକ ଏତେ ମାତ୍ରାରେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ରହିଥିଲେ ଯେ ଏହି ଧାରଣର ଆଉ ଏକ ମିଛ ଘଟଣାକୁ ସତ ବୋଲି ଧରି ନେଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସ ମହିଳାଙ୍କୁ ଏଥିନେଇ ପଚରା ଉଚରା ଜାରି ରଖିଛି। ତେବେ, ପୀଡିତା ମହିଳା ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଜଣାଯାଇଛି।