ଆସନ୍ତା ୩ ବର୍ଷରେ ଏଆଇରେ ୧ ବିଲିୟନ ଡଲାରର ନିବେଶ କରିବ ଓ୍ବିପ୍ରୋ
![](https://thetruths.in/wp-content/uploads/2023/07/Wipro-AI-1024x576.jpeg)
ନୂଆଦିଲ୍ଲୀ : ଏଆଇ ଆସିବା ପରେ ପ୍ରଯୁକ୍ତ (ଟେକ୍ନୋଲୋଜି) କ୍ଷେତ୍ରରେ ଆସିଛି ବିପ୍ଲବ। ଏଆଇ ବା କୃତ୍ରିମ ବୁଦ୍ଧିମତା ଦ୍ବାରା ଅନେକ କାମ ସହଜରେ ହୋଇପାରୁଛି। ଏଆଇ ଆସିବା ପରେ ଅନେକ କମ୍ପାନି ଏହାକୁ ଆପଣାଇଛନ୍ତି ମଧ୍ୟ। ଫଳରେ ଏହାକୁ ନେଇ ଚାକିରି ହରାଇବା ନେଇ ମଧ୍ୟ ଆଶଙ୍କା ଉପୁଜିଛି। ଏହାର ମଧ୍ୟରେ ଭାରତୀୟ ଆଇଟି କମ୍ପାନି ଓ୍ବପ୍ରୋ ଲିମିଟେଡ (ୱିପ୍ରୋ) ମଧ୍ୟ ଏଆଇ ଆପଣାଇବାକୁ ଯାଉଥିବା ନେଇ ଘୋଷଣା କରିଛି।
ଏଆଇରେ ନିବେଶ କରିବ ଆଇଟି କମ୍ପାନି ଓ୍ବିପ୍ରୋ। ବୁଧବାର ଏକ ଏକ୍ସଚେଞ୍ଜ ଫାଇଲିଙ୍ଗ୍ରେ କମ୍ପାନି ଏହି ସୂଚନା ଦେଇଛି । ଆଗାମୀ ତିନି ବର୍ଷରେ କୃତ୍ରିମ ବୁଦ୍ଧିମତା (ଏଆଇ)ରେ ୧ ବିଲିୟନ ଡଲାର ନିବେଶ କରିବା ପାଇଁ ଯୋଜନା କରୁଥିବା କହିଛି କମ୍ପାନି। ଏହି ନିବେଶ ଦ୍ବାରା ଅଧିକ ତଥ୍ୟର ବିଶ୍ଲେଷଣ କରିହେବ, ସମାଧାନ ଖୁବ୍ ସହଜ ହେବ, ଅନେକ ନୂଆ ରିସର୍ଚ୍ଚ ଏବଂ ପ୍ଲାଟଫର୍ମର ବିକାଶ ମଧ୍ୟ ହେବ।
ଏହା ସହ କମ୍ପାନି ଏହାର ପ୍ରଥମ ଏଆଇ ଇନୋଭେସନ ଇକୋସିଷ୍ଟମ ୱିପ୍ରୋ ଏଆଇ୩୬୦କୁ ମଧ୍ୟ ଲଞ୍ଚ କରିଛି। ଯାହା ଆଗାମୀ ୧୨ ମାସରେ ଏହାର ପ୍ରାୟ ୨.୫ ଲକ୍ଷ କର୍ମଚାରୀଙ୍କୁ ଏଆଇ ଉପରେ ପ୍ରଶିକ୍ଷିତ କରିବ। ଓ୍ବିପ୍ରୋ ସିଇଓ ଥିପରି ଡେଲାପୋର୍ଟେ କହିଛନ୍ତି ‘ବିଶେଷ କରି ଜେନେରେଟିଭ ଏଆଇ ସହ ଆମେ ସବୁ ଉଦ୍ୟୋଗ ପାଇଁ ଏକ ମୌଳିକ ପରିବର୍ତ୍ତନର ଆଶା କରୁଛୁ।’’
ତେବେ ଓ୍ବିପ୍ରୋର ଏହି ଘୋଷଣା ଏଭଳି ସମୟରେ ଆସିଛି ଯେତେବେଳେ ପ୍ରତିଦ୍ବନ୍ଦ୍ବୀ ଟିସିଏସ ଏହାର କର୍ମଚାରୀଙ୍କୁ ମାଇକ୍ରୋସଫ୍ଟର ଆଜ୍ୟୁର ଓପନ ଏଆଇର ପ୍ରଶିକ୍ଷଣ ଦେବାକୁ ଯୋଜନା କରୁଛି। ସୂଚନାଥାଉକି, ଚାଟ୍ଜିପିଟି ଆସିବା ପରେ ଦୁନିଆର ଅନେକ କମ୍ପାନି, ବ୍ୟାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ପ୍ରଯୁକ୍ତି କମ୍ପାନି ଏଆଇରେ ନିବେଶ ଦୁଇଗୁଣା କରିଛନ୍ତି । ୨୦୨୨ରେ ମାଇକ୍ରୋସଫ୍ଟ ଦ୍ବାରା ସଞ୍ଚାଳିତ ଏଆଇ ଚାଟଜିପିଟି ଲଞ୍ଚ ହେବାପରେ ଟେକ୍ନୋଲୋଜି ଦୁନିଆରେ ଏକ ନୂଆ ବିପ୍ଲବ ଆସିଛି।