ରାଜ୍ୟକୁ ବିଳମ୍ବରେ ଆସିବ ଶୀତ
ଭୁବନେଶ୍ବର : ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏଥିସହିତ ବର୍ଷା ଜାରି ରହିଛି। ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଫେରିବ। ଅକ୍ଟୋବର ତୃତୀୟ ସପ୍ତାହ, ଏପରିକି ଦୀପାବଳି ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିବାର ନାହିଁ। ଅନ୍ୟପଟେ ଏବେ ରାଜ୍ୟକୁ ଉତ୍ତରା ପବନ ପ୍ରବାହିତ ହେବାର ସମ୍ଭାବନା କ୍ଷୀଣ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟର ତାପମାତ୍ରା ମଧ୍ୟ ତଳକୁ ଖସିବ ନାହିଁ ଓ ଶୀତ ବିଳମ୍ବରେ ଆସିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁସାରେ, ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏପଟେ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିଲା। ହେଲେ ଆଜିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ମାତ୍ର ୯ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମୀ ଦିନ ବର୍ଷା ହୋଇପାରେ। ସେହିପରି ଆସନ୍ତା ୨ ଦିନ ଉପକୂଳ ତଥା ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏହି ଦୁଇ ଦିନ ପାଇଁ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ। ୯ ତାରିଖ ଦିନ ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ପୁରୀ ଆଦି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଣୁ ଏହି ସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗୁରୁବାର ସକାଳୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇବ। ୮ ତାରିଖରେ ଏହା ଲଘୁଚାପ ରୂପ ନେଇପାରେ। ୧୧ ତାରିଖ ଦିନ ଏହା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିବ। ଏହା ପରେ ଆଉ ଏକ ଘୂର୍ଣ୍ଣିବଳୟ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଉପକୂଳରେ ଅଧିକ ହେବ ଓ କଟକ, ଖୋର୍ଧା, ପୁରୀ ଓ ଗଞ୍ଜାମରେ ସବୁଠାରୁ ଅଧିକ ହେବ। ଏହି ତିନିଟି ଜିଲ୍ଲାରେ ସାଧାରଣ ଭାବେ ସ୍ବଳ୍ପ ଏବଂ ୭, ୯, ୧୧ ଓ ୧୪ ତାରିଖରେ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା (୩୫ ମିମି) ହେବ। ଅବଶିଷ୍ଟ ଓଡ଼ିଶାରେ ହାଲୁକା ବର୍ଷିବ। ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରୁ ମୌସୁମୀ ଫେରିବାର ସମ୍ଭାବନା ନାହିଁ। ଉତ୍ତର-ପୂର୍ବ ମୌସୁମୀ ମଧ୍ୟ ଆସିବାରେ ବିଳମ୍ବ ହେବ। ଉତ୍ତରା ପବନ ବର୍ତ୍ତମାନ ରାଜ୍ୟରେ ପ୍ରବାହିତ ହେବ ନାହିଁ। ଫଳରେ ରାଜ୍ୟର ତାପମାତ୍ରା ମଧ୍ୟ ଖସିବ ନାହିଁ ଓ ଶୀତ ମଧ୍ୟ ବିଳମ୍ବରେ ଆସିବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।