କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ? ଆସନ୍ତୁ ଜାଣିବା
ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ୬ ମାସ ଅବସ୍ଥାନ କରନ୍ତି। ତେଣୁ ଏହି ୬ମାସକୁ ଶୁଭ ବୋଲି କୁହାଯିବା ସହ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ସୂର୍ଯ୍ୟ ଉପାସନ କରାଯାଏ । ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ ।
ମକର ସଂକ୍ରାନ୍ତିକୁ ନେଇ ଏକ ପୌରାଣିକ ଆଖ୍ୟା ମଧ୍ୟ ରହିଛି। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି ।
ମକର ସଂକ୍ରାନ୍ତି ଦିନ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି ।
ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମର ଭୌତିକ ଜୀବନରେ ନୂତନତ୍ୱ ଆଣି ଦେଇଥାଏ।ଆମ ଭିତରେ ଶୁଭତ୍ୱ ଓ ନବଜୀବନ ବୋଧ ଭରିଥାଏ।
ପୁରାଣରେ ଉଲ୍ଲେଖ ରହିଛି ଯେ,ଯେତେବେଳେ ଦିବାକାର ଅର୍ଥାତ୍ ସୂର୍ଯ୍ୟ ମକରସ୍ଥ ହୋଇଥା’ନ୍ତି, ସେତେବେଳ ପ୍ରତ୍ୟେକ ସମୟ,ପ୍ରତିଦିନ ଓ ପ୍ରତ୍ୟେକ ସ୍ଥାନ ଶୁଭ ହୋଇଥାଏ। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକରସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ।ଏଣୁ ମକର ସଂକ୍ରାନ୍ତିରୁ ଯେ କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ କରାଯିବାରେ କିଛି ଅସୁବିଧା ନାହିଁ ବୋଲି କୁହାଯାଏ।
ବେଦରେ କୁହାଯାଇଛି ଏହି ଅବସରରେ ଯେଉଁଭଳି ସୂର୍ଯ୍ୟଦେବଙ୍କ କୃପା ହେତୁ ଅନ୍ନଦାତା ଆମକୁ ନବାନ୍ନ ଉପହାର ଦେଇଥା’ନ୍ତି,ଠିକ୍ ସେହିଭଳି ଏହି ଆଲୋକ ଆମକୁ ଆଳସ୍ୟ ତ୍ୟାଗ କରି ନୂତନ ସକାରାତ୍ମକ ବିଚାର ଗ୍ରହଣ କରିବା ଲାଗି ପ୍ରୋତ୍ସାହନ ଦେଇଥାଏ। କାମ-କ୍ରୋଧ,ମଦ-ଲୋଭ ଆଦି ଦୂଷିତ ବିଚାରରୁ ନିଜକୁ ମୁକ୍ତ କରି ନୂଆ ଜୀବନ ଆରମ୍ଭ କରିବାକୁ ପ୍ରେରଣା ଦେଇଥାଏ।