ମେ ୧ ତାରିଖରେ କାହିଁକି ପାଳନ କରାଯାଏ ଶ୍ରମିକ ଦିବସ? ଜାଣନ୍ତୁ କ’ଣ ରହିଛି ଇତିହାସ…
ମେ ୧ ତାରିଖ । ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଏହି ଦିନ ସାରା ଦୁନିଆରେ ଶ୍ରମିକ ଦିବସ ପାଳନ କରାଯାଇଥାଏ । ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା ରଖାଯାଇଥିଲା । ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ ।
ଶହ ସହ ବର୍ଷ ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ ସମୟସୀମା ନଥିଲା | ଶ୍ରମିକମାନେ ଅଧିକ ସମୟ କାମ କରୁଥିଲେ । ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଧାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ । ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ । ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଫ୍ରେଞ୍ଚ କ୍ରାନ୍ତିକୁ ନଜରରେ ରଖି ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏହି ପ୍ରସ୍ତାବରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯିବ ପ୍ରସ୍ତାବକୁ ସ୍ୱୀକାର କରାଯାଇଥିଲା । ଏହି ପ୍ରସ୍ତାବ ପାରିତ ହେବାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା ।
ଏହାପରେ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରିବା ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ।