ଟି-୨୦ ବିଶ୍ୱକପରେ କିଏ ନେବ ବୁମ୍ରାଙ୍କ ଜାଗା? ରେସରେ ଏହି ୫ ଖେଳାଳି
ନୂଆଦିଲ୍ଲୀ :ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଆଉ ଅଧିକ ସମୟ ବାକି ନାହିଁ । ଏହି ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଟିମ୍ ଇଣ୍ଡିଆର ପ୍ରମୁଖ ଖେଳାଳି ତଥା ଭେଟେରାନ୍ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଆହତ ହୋଇଛନ୍ତି । ଏବେ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ସହିତ ଉପସ୍ଥିତ ରହି ପାରିବେ ନାହିଁ । ବର୍ତ୍ତମାନ ବୁମ୍ରାଙ୍କ ବଦଳରେ କେଉଁ ବୋଲର ସୁଯୋଗ ପାଇବ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
ଗୁରୁବାର ଦିନ ଅପରାହ୍ନରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଅତ୍ୟନ୍ତ ଚିନ୍ତାଜନକ ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ ବୁମ୍ରା ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ଭାରତୀୟ ଦଳର ବୋଲିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ବୁମ୍ରାଙ୍କ ଆଘାତ ଭାରତ ପାଇଁ ଏକ ବଡ ଝଟକା । ଆଘାତ ଯୋଗୁଁ ବୁମ୍ରା ଏସିଆ କପରେ ମଧ୍ୟ ଖେଳିପାରିନଥିଲେ, ବର୍ତ୍ତମାନ ପିଠି ଯନ୍ତ୍ରଣା ଅଭିଯୋଗ କରିବା ଯୋଗୁଁ ସେ ବିଶ୍ୱକପରେ ଖେଳି ପାରିବେ ନାହିଁ ।
୧୨ ସେପ୍ଟେମ୍ବରରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରାଯାଇଥିଲା । ଏହି ଦଳରେ ଅଭିଜ୍ଞ ମହମ୍ମଦ ଶାମି ଓ ଦୀପକ ଚହରଙ୍କୁ ରିଜର୍ଭ ଖେଳାଳି ଭାବରେ ସ୍ଥାନ ପାଇଥିଲା । ଚୟନକର୍ତ୍ତାମାନେ ଏହି ଦୁଇଟି ବୋଲରଙ୍କୁ ଏହି କାରଣରୁ ଦଳରେ ରଖିଥିଲେ, ଯାହା ଦ୍ୱାରା ଏଭଳି ପରିସ୍ଥିତିରେ ସେମାନେ ମୁଖ୍ୟ ଦଳରେ ଷ୍ଟାଣ୍ଡରୁ ଅନ୍ତର୍ଭୁକ୍ତ ହୋଇପାରିବେ । ବୁମ୍ରାଙ୍କ ଅନୁପସ୍ଥିତିରେ, ଶାମି ଅଭିଜ୍ଞତା ଆଧାରରେ ଏକ ସୁଯୋଗ ପାଇପାରନ୍ତି, ଓ ଅଷ୍ଟ୍ରେଲିଆର ସାମ୍ପ୍ରତିକ ଫର୍ମ ଓ ଅବସ୍ଥାକୁ ଦୃଷ୍ଟିରେ ରଖି ଦୀପକ ଚହରଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇପାରେ ।
ମହମ୍ମଦ ଶାମି :
ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ଵ କପ୍ ଦଳ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଛି। କୋଭିଡ୍ ପଜିଟିଭ୍ କାରଣରୁ ଶାମି ଅଷ୍ଟ୍ରେଲିଆ ସିରିଜ୍ ସହ ଦକ୍ଷିଣ ଆଫ୍ରିକା ସିରିଜ୍ ଖେଳି ପାରି ନାହାନ୍ତି। ଏବେ ସେ କୋଭିଡ୍-୧୯ରୁ ସୁସ୍ଥ ହୋଇ ସାରିଛନ୍ତି, ଯାହା ଭାରତୀୟ ଦଳ ପାଇଁ ଆଶ୍ଵସ୍ତିକର ଖବର। ସଂପ୍ରତି ଶାମି ଯଶପ୍ରୀତ ବୁମରାଙ୍କ ସ୍ଥାନ ନେବା ପାଇଁ ସବୁଠୁ ବଡ ଦାବିଦାର। ଅଷ୍ଟ୍ରେଲିଆ ମାଟିରେ ଖେଳିବାର ତାଙ୍କର ଢେର ଅଭିଜ୍ଞତା ରହିଛି, ଯାହା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଶାମି ନିଜର ଶେଷ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଗତ ବର୍ଷ ବିଶ୍ଵ କପ୍ରେ ଖେଳିଥିଲେ।
ଦୀପକ ଚହର :
ଦ୍ରୁତ ବୋଲର ଦୀପକ ଚହରଙ୍କୁ ଟି-୨୦ ବିଶ୍ଵ କପ୍ ପାଇଁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଛି। ଚହର ଏସିଆ କପ୍ରେ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଥିଲେ। ମାତ୍ର ଅଭେଶ ଖାନ ଅସୁସ୍ଥ ହେବାରୁ ଚହରଙ୍କୁ ଦଳରେ ସାମିଲ୍ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଚହରଙ୍କ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେବାର ସାମର୍ଥ୍ୟ ରହିଛି। ତେଣୁ ସେ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରନ୍ତି।
ଉମେଶ ଯାଦବ :
ମହମ୍ମଦ ଶାମି ଏବଂ ଦୀପକ ଚହରଙ୍କ ବ୍ୟତୀତ ଉମେଶ ଯାଦବ ମଧ୍ୟ ଭଲ ବିକଳ୍ପ ହୋଇ ପାରିବେ। ମହମ୍ମଦ ଶାମି କୋଭିଡ୍-୧୯ ପଜିଟିଭ୍ ହେବା ପରେ ଯାଦବଙ୍କୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଦଳରେ ସାମିଲ୍ କରାଯାଇଛି। ଉମେଶଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମୁକାବିଲାରେ ଖେଳିବାକୁ ସୁଯୋଗ ମିଳିଥିଲା। ଉକ୍ତ ମ୍ୟାଚ୍ରେ ସେ ଦୁଇ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶଙ୍କ ନିକଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି ଏବଂ ସେ ଅଷ୍ଟ୍ରେଲିଆ ପିଚ୍ରେ ଉପଯୋଗୀ ଖେଳାଳି ସାବ୍ୟସ୍ତ ହୋଇ ପାରନ୍ତି।
ଶାର୍ଦ୍ଦୁଳ ଠାକୁର :
ଶାର୍ଦ୍ଦୁଳ ଠାକୁର ଭାରତ-ଏ ପାଇଁ ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ। ଶାର୍ଦ୍ଦୁଳ ତିନି ମ୍ୟାଚ୍ରେ ୨୪.୫୦ ହାରରେ ଚାରୋଟି ଓ୍ଵିକେଟ୍ ନେଇଥିଲେ। କେବଳ ଏତିକି ନୁହେଁ ତୃତୀୟ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ମହମ୍ମଦ ସିରାଜ୍ :
ମହମ୍ମଦ ସିରାଜ ମଧ୍ୟ ବୁମରାଙ୍କ ଭଲ ବିକଳ୍ପ ହୋଇ ପାରିବେ। ସିରାଜ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟରେ ଚମତ୍କାର ବୋଲିଂ କରି ଭାରତକୁ ସ୍ମରଣୀୟ ବିଜୟ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗାବାରେ ଐତିହାସିକ ଟେଷ୍ଟ ବିଜୟର ସ୍ମରଣୀୟ ମୁହୂର୍ତ୍ତ ଏବେ ମଧ୍ୟ ଭାରତୀୟ ପ୍ରଶଂସକଙ୍କ ମନରେ ସତେଜ ରହିଛି।