ପୁଣି କରୋନାକୁ ନେଇ ଡବ୍ଲୁଏଚଓର ଚେତାବନ ! ପ୍ରଥମେ ଶରୀରର ଏହି ଅଙ୍ଗକୁ ନୂଆ ଭ୍ୟାରିଆଣ୍ଟ କରୁଛି ଆଟାକ୍, ଜାଣନ୍ତୁ ଲକ୍ଷଣ
ନୂଆଦିଲ୍ଲୀ : ମରିନି ମହାମାରୀ କରୋନା । ପୁଣିଥରେ କାୟା ମେଲୁଛି ବହୁରୂପୀ । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନାକୁ ନେଇ ନୂଆ ଚେତାବନୀ ଜାରି କରିଛି । କୋରୋନା ଭାଇରସ ଦୁନିଆରେ ପୁଣିଥରେ ବଡ଼ ମହାମାରୀ ସୃଷ୍ଟି କରିପାରେ ବୋଲି ଡବ୍ଲୁଏଚଓ ଆଶଙ୍କା ପ୍ରକାଶ କରିଛି । କୋଭିଡ-୧୯ ଏବେ ବି ସକ୍ରିୟ ରହିଛି, ବିଶ୍ୱବାସୀଙ୍କ ଅସାବଧାନତା ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି ।
ଏବେ କରୋନା ଏକ କ୍ଷଣସ୍ଥାୟୀ ରୋଗ ହେବାଠାରୁ ବହୁ ଦୂରରେ ଅଛି । ପେଣ୍ଡାମିକ ଖୁବଶୀଘ୍ର ମେଣ୍ଡାମିକ ପର୍ଯ୍ୟାୟକୁ ଆସିଯିବ ବୋଲି ଆକଳନ କରୁଥିବା ସମସ୍ତ ବିଶେଷଜ୍ଞଙ୍କ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି । ଏବେ ଭାଇରସ ଅସ୍ଥିର ରହିଛି । ଭିନ୍ନ ଭିନ୍ନ ଭାରିଏଣ୍ଟର ସଂଯୋଗ ଫଳରେ ନୂଆ ଭାରିଏଣ୍ଟ ସୃଷ୍ଟି ହେଉଥିବାରୁ ରୋଗର ଲକ୍ଷଣ ମଧ୍ୟ ପରିବର୍ତ୍ତନ ହେଉଛି । ଡେଲଟା ଓ ଓମିକ୍ରନର ମିଳିତ ଭାରିଏଣ୍ଟ XE ସଂକ୍ରମିତଙ୍କଠାରେ ପୂର୍ବବର୍ତ୍ତୀ ଲକ୍ଷଣ ପ୍ରକାଶ ପାଉନାହିଁ । ଯେଉଁ କାରଣରୁ ପ୍ରାଥମିକ ସ୍ତରରେ ଏହି ରୋଗୀଙ୍କୁ ଚିହ୍ନଟ ପାଇଁ ସମସ୍ୟା ବୃଦ୍ଧି ପାଉଛି ।
ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ XE ଅଧିକ ସଂକ୍ରାମକ । ବିଶେଷଜ୍ଞଙ୍କ ମତରେ ଏହା ସେତେଟା ଘାତକ ନୁହେଁ । କିନ୍ତୁ ଖୁବଶୀଘ୍ର ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ସାମାଜିକ ଦୂରତା ପାଳନ କରୁନଥିବା ଓ ମାସ୍କ ପିନ୍ଧୁନଥିବା ଲୋକମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା କ୍ଷଣ କୋରୋନା ସଂକ୍ରମିତ ହେଉଛନ୍ତି । ଆଙ୍ଗଲିୟା ରସ୍କିନ ୟୁନିଭରସିଟିର ବିଶେଷଜ୍ଞମାନେ ଆଖି ଉପରେ କୋରୋନାର ନୂଆ ଭ୍ୟାରିଆଣ୍ଟ ପ୍ରଭାବକୁ ନେଇ ଗବେଷଣା କରିଛନ୍ତି । ଆଖିରେ ଯନ୍ତ୍ରଣା ହେବା କୋରୋନାର ପ୍ରାଥମିକ ଲକ୍ଷଣ ମଧ୍ୟରୁ ଗୋଟିଏ ବୋଲି ସେମାନେ ଦାବି କରିଛନ୍ତି । ଏହାବ୍ୟତୀତ ଆଖି କୁଣ୍ଡେଇ ହେବା ଏବଂ ଆଖି ଶୁଷ୍କ ହେବା ମଧ୍ୟ କୋରୋନା ସଂକ୍ରମଣର ଲକ୍ଷଣ ହୋଇପାରେ । ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ଲକ୍ଷଣଗୁଡିକୁ ଅଣଦେଖା ନକରି ତୁରନ୍ତ ପରୀକ୍ଷା କରାଇନେବା ଉଚିତ ।
କରୋନାର ସାଧାରଣ ଲକ୍ଷଣଗୁଡିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ, ଅଖିର ରଙ୍ଗ ଲାଲ୍ ଏବଂ ଗୋଲାପୀ ହେବା କରୋନାର ସମ୍ଭାବ୍ୟ ଲକ୍ଷଣ ହୋଇପାରେ । ଲୁହରେ କରୋନାର ଆରଏନଏ ଭାଇରସ୍ ପ୍ରଭାବ ଖୁବଶୀଘ୍ର ପଡୁଥିବାରୁ ଆଖିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହାବ୍ୟତୀତ କାଶ, ଥକ୍କାପଣ, ଦୁର୍ବଳତା ଏବଂ ନାକରୁ ପାଣି ବାହାରିବା କୋରୋନା ଭାଇରସ୍ର ୪ଟି ସାଧାରଣ ଲକ୍ଷଣ ଅଟେ । ଥଣ୍ଡାଜ୍ବର, ଥକ୍କାପଣ, ଗଳା ଦରଜ, ରାତିରେ ଶରୀରରୁ ଅଧିକ ଝାଳ ବାହାରିବା ମଧ୍ୟ କୋରୋନା ସଂକ୍ରମଣର ସଙ୍କେତ ହୋଇପାରେ ।
ସୂଚନା ଯେ, ଚୀନରେ ଦ୍ରୁତ ଗତିରେ ପୁଣିଥରେ କରୋନା କାୟା ବିସ୍ତାର କରୁଥିବାରୁ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ଚୀନର ସାଙ୍ଘାଇ, ବେଜିଂ ସମେତ ୧୦ରୁ ଅଧିକ ବଡ଼ ସହରରେ ଲକଡାଉନ ଲାଗୁ ହେବା ସତ୍ତ୍ୱେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେବଳ ସଙ୍ଘାଇ ସହରରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ଆମ ଦେଶରେ XE ଭାରିଆଣ୍ଟର ଏତେବେଶୀ ପ୍ରଭାବ ପଡ଼ିନାହିଁ । ଭାରତରେ ଏବେ ଅଧିକାଂଶ ଲୋକଙ୍କଠାରେ ଆଣ୍ଟିବଡି ଦୃଢ଼ ରହିଛି ।