କାହାକୁ ଓ କେତେ ମିଳିବ ଏଲପିଜି ସିଲିଣ୍ଡର ଉପରେ ସବସିଡି? ଅର୍ଥମନ୍ତ୍ରୀ ଦେଲେ ଏହି ଜବାବ
ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର ବଡ଼ ଘୋଷଣା କରିଛନ୍ତି । ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୮ ଟଙ୍କା ଓ ଡିଜେଲ ଉପରେ ୭ ଟଙ୍କା ହ୍ରାସ କରିଛନ୍ତି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପେଟ୍ରୋଲ ୯.୫ ଟଙ୍କା ଓ ଡିଜେଲ ୭ ଟଙ୍କା ଶସ୍ତା ହୋଇଛି । ଏଥିସହ ସରକାରଙ୍କ ଦ୍ୱାରା ଆଉ ଏକ ବଡ଼ ଘୋଷଣା କରାଯାଇଛି, ଯେଉଁ କାରଣରୁ ଲୋକମାନଙ୍କୁ ବର୍ତ୍ତମାନ ଏଲପିଜି ସିଲିଣ୍ଡର ଶସ୍ତା ମିଳିବ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପ୍ରାୟ ୯ କୋଟି ହିତାଧିକାରୀଙ୍କୁ ଏଲପିଜି ସବସିଡି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର ସେମାନଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବେ । ଯୋଗ୍ୟ ବ୍ୟକ୍ତିମାନେ ଗୋଟିଏ ବର୍ଷରେ ୧୨ଟି ସିଲିଣ୍ଡର ଉପରେ ଏହି ସବସିଡି ପାଇପାରିବେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ସବସିଡି ଦେଶର ମା’ ଓ ଭଉଣୀମାନଙ୍କୁ ବହୁତ ସାହାଯ୍ୟ କରିବ । ଏଥିସହ ସରକାରଙ୍କ ବାର୍ଷିକ ପ୍ରାୟ ୬,୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଯେ ଏହି ଏଲପିଜି ସବସିଡିର ଲାଭ କିଏ ଓ କେତେ ପାଇବେ ।
ସୂଚନାଯୋଗ୍ୟ, ଜୁନ ୨୦୨୦ରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ବନ୍ଦ ହୋଇଯାଇଥିଲା । ସେବେଠାରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ବଜାର ମୂଲ୍ୟରେ ଏଲପିଜି ସିଲିଣ୍ଡର କିଣୁଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଏଠାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୦୦୩ ଟଙ୍କା ରହିଛି । ବର୍ତ୍ତମାନ ସରକାରଙ୍କ ଏହି ଘୋଷଣା ପରେ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ସିଧାସଳଖ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଏହିପରି ସେମାନଙ୍କ ପାଇଁ ଗୋଟିଏ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା ହେବ ।