ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା : ଭାଜପା ଓ ଟିଏମ୍ସି ବିଧାୟକଙ୍କ ମଧ୍ୟରେ ମାରପିଟ୍
କୋଲକାତା : ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ବୀରଭୂମି ନରସଂହାରକୁ ନେଇ ରାଜ୍ୟ ବିଧାନସଭାରେ ହଙ୍ଗାମା ଲଗାତାର ଜାରୀ ରହିଛି । ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଙ୍ଘନ କରି ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧି ଭାରତୀୟ ଜନତା ପାର୍ଟିର ବିଧାୟକ ହାତାହାତି ଓ ମାରପିଟ୍ କୁ ଚାଲି ଆସିଥିଲେ । ଏହି ସମୟରେ ଶାସକ ଓ ବିରୋଧି ଦଳର କେତେକ ବିଧାୟକଙ୍କ ମଧ୍ୟରେ ଧକ୍କା ମରାମରି ଓ ମାରପିଟ୍ ହୋଇଥିଲା । ଘଟଣା ପରେ ବିରୋଧି ଦଳର ନେତା ଶୁଭେନ୍ଦୁ ଅଧିକାରୀ ଗୃହରୁ ବାହାରକୁ ଆସି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ତୃଣମୂଳ ବିଧାୟକ ଶୌକତ ମୋଲ୍ଲାଙ୍କ ସହିତ ଶାସକ ଦଳର ଅନ୍ୟ କେତେକ ବିଧାୟକ ବିଧାନସଭାର ସୁରକ୍ଷାକର୍ମୀଙ୍କ ସହିତ ମିଶି ଭାଜପା ବିଧାୟକଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଧାନସଭାରେ ଭାଜପାର ମୁଖ୍ୟ ସଚେତକ ମନୋଜ ଟିଗ୍ଗାଙ୍କ କପଡ଼ା ଫାଡିବା ସହ ଅନ୍ୟ ଜଣେ ବିଧାୟକ ନରହରି ମହତୋ ଠେଲାପେଲାରେ ତଳେ ପଡି ଯାଇଥିଲେ । ବିଧାୟକ ଚନ୍ଦନା ବାଉରୀଙ୍କ ଅଭିଯୋଗ ମୁତାବକ, ଶାସକ ଦଳର କୌଣସି ବିଧାୟକ ତାଙ୍କ ପିଠିକୁ ଆଘାତ କରିଛନ୍ତି । ଅନ୍ୟପକ୍ଷରେ ଭାଜପା ବିଧାୟକ ଶିଖା ଚଟର୍ଜି କହିଛନ୍ତି ଯେ, ତାଙ୍କ ଉପରେ ମଧ୍ୟ ଚାପୁଡା ପଡିଛି ।
ସୋମବାର ପୂର୍ବାହ୍ନରେ ବିଧାନସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧି ଭାଜପା ବିଧାୟକ ମାନେ ଗୃହରେ ନାରାବାଜି ଏବଂ ହଙ୍ଗାମା ଆରମ୍ଭ କରିଥିଲେ । ବିରୋଧି ଦଳର ନେତା ଶୁଭେନ୍ଦୁ ଅଧିକାରୀ ବିଧାନସଭା ଅଧ୍ୟକ୍ଷ ବିମାନ ବାନାର୍ଜିଙ୍କୁ ପ୍ରଶ୍ନ କରିଥିଲେ ଯେ, ବୀରଭୂମି ନରସଂହାରକୁ ନେଇ ସରକାରୀ ସ୍ତରରେ ସହାୟତାର ଘୋଷଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଧାନସଭା ବାହାରେ କାହିଁକି କରିଛନ୍ତି । ସାମ୍ବିଧାନିକ ନିୟମ ଅନୁଯାୟୀ, ଯେତେବେଳେ ବିଧାନସଭା ଚାଲିଥିବ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ମାନଙ୍କର ସରକାରୀ ନିଷ୍ପତିର ସୂଚନା ସର୍ବ ପ୍ରଥମେ ଗୃହରେ ରଖାଯାଇଥାଏ । କିନ୍ତୁ, ବର୍ତମାନ ବିଧାନସଭା ଚାଲିଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଧାନସଭା ବାହାରେ ଜନସାଧାରଣ ଙ୍କୁ ଏହାର ସୂଚନା ଦେଉଛନ୍ତି । ହେଲେ ବିଧାନସଭାରେ ଏ ସମ୍ପର୍କରେ କିଛି ବି କହୁନାହାଁନ୍ତି । ଏହା ସାମ୍ବିଧାନିକ ବିଧି ବ୍ୟବସ୍ଥାର ଅପମାନ ଏବଂ ବେଆଇନ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଭାଜପା ବିଧାୟକ ବୀରଭୂମି ନରସଂହାର ନେଇ ଆଲୋଚନା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଗୃହମନ୍ତ୍ରୀ ମମତା ବାନାର୍ଜି ଏନେଇ ବୟାନ ରଖନ୍ତୁ ବୋଲି ସେମାନେ ଦାବି କରିଥିଲେ । ହେଲେ ବିଧାନସଭା ଅଧ୍ୟକ୍ଷ ବିମାନ ଚଟର୍ଜି ଏହାକୁ ସ୍ୱୀକାର କରିବାକୁ ମନା କରିଥିଲେ । ଏହାପରେ ଭାଜପା ବିଧାୟକ ଗୃହର ମଧ୍ୟ ଭାଗକୁ ଚାଲି ଆସି ନାରାବାଜି ଆରମ୍ଭ କରିଥିଲେ । ଏହାପରେ ତୃଣମୂଳ କଂଗ୍ରେସର କେତେକ ବିଧାୟକ ସେଠାରେ ପହଂଚି ଭାଜପା ବିଧାୟକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ, ବୀରଭୂମି ନରସଂହାର ଘଟଣାରେ ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଏବଂ ପରିବାର ପିଛା ୫ ଲକ୍ଷ ଲେଖାଏଁ ଆର୍ôଥକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ କ୍ଷତିଗ୍ରସ୍ତ ଘର ଗୁଡିକର ମରାମତି ନିମନ୍ତେ ୨ ଲକ୍ଷ ଲେଖାଏଁ ଅତିରିକ୍ତ ସହାୟତା ନେଇ ଘୋଷଣା କରିଛନ୍ତି । ଗତ ଗୁରୁବାର ଦିିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଘଟଣାସ୍ଥଳରେ ପହଂଚି ଏହି ଘୋଷଣା କରିଥିଲେ । ଯାହାକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି ।