ଶୌଚ ହେବାକୁ ଯାଇଥିଲେ; ବଜ୍ରପାତରେ ୩ ମୃତ
ବଲାଙ୍ଗିର : ଶୌଚ ହେବାକୁ ଯାଇଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟା ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା। ଆଉ ଏହି ବଜ୍ରପାତରେ ପୋଖରୀ କୂଳରେ ଟଳି ପଡିଥିଲେ ୩ଜଣ। ଖବର ପାଇ ପରିବାର ଲୋକେ ୩ଜଣଙ୍କୁ ଲୋଇସିଂହା ହସ୍ପିଟାଲ୍କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବଲାଙ୍ଗିିର ଜିଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଝା ।
ପ୍ରଶାନ୍ତ, କାହ୍ନୁ ଓ ଚନ୍ଦନ ଗାଁର ଅନ୍ୟ ସାଙ୍ଗମାନଙ୍କର ସହିତ ସନ୍ଧ୍ୟାରେ ଗାଁ ମୁଣ୍ଡରେ ଥିବା ପୋଖରୀ ଆଡ଼କୁ ଶୌଚ ହେବା ପାଇଁ ଯାଇଥିଲେ। ସାଙ୍ଗସାଥୀ ଗହଣରେ ସେମାନେ କଥାବାର୍ତ୍ତା କରୁଥିଲେ। ରାତି ପ୍ରାୟ ୯ଟା ବେଳକୁ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଜଡ଼ାମୁଣ୍ଡା ଗାଁକୁ ପହଞ୍ଚି ୩ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୁଇ ଜଣ ଯୁବକ ଓ ଜଣେ ନାବାଳକଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯେ, କାହ୍ନୁ ମୁଣ୍ଡାଙ୍କ ବଡ଼ ଭାଇ କାହ୍ନା ମୁଣ୍ଡାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା। ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା କାହ୍ନାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ପ୍ରଶାନ୍ତଙ୍କ ବାପାଙ୍କର ମୃତ୍ୟୁ ବହୁ ବର୍ଷ ପୂର୍ବରୁ ହୋଇଛି। ତାଙ୍କର ୨ ସାନଭାଇ ଓ ମା’ ଅଛନ୍ତି । ଚନ୍ଦନ ଝା ବାପା-ମା’ଙ୍କର ଏକ ମାତ୍ର ପୁଅ ଥିଲେ।